ଓଏଏସ୍ ପରୀକ୍ଷାରେ ସଫଳତା: ପୂର୍ବତନ ଛାତ୍ରୀ ସଙ୍ଗୀତା ସେଠୀଙ୍କୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
କେସିଙ୍ଗା,କଳାହାଣ୍ଡି ଜିଲ୍ଲା : ତା.୦୧l୦୬( ଷ୍ଟାର ନିୟୁଜ ଓଡିଶା )ଦୃଢ଼ ମନୋବଳ, ନିଷ୍ଠା ଓ ଅବିରତ ପରିଶ୍ରମ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇପାରେ ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି କେସିଙ୍ଗାର ଗର୍ବ ଶ୍ରୀମତୀ ସଙ୍ଗୀତା ସେଠୀ। ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସେ ୧୧୩ତମ ସ୍ଥାନ ଅଧିକାର କରି ଜିଲ୍ଲା ସମେତ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଶ୍ରୀମତୀ ସେଠୀ ୨୦୦୮ ଶିକ୍ଷାବର୍ଷରେ କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଏହି କୃତିତ୍ୱ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ବତନ ଓ ବର୍ତ୍ତମାନ ଛାତ୍ରୀ, ଅଭିଭାବକ ଏବଂ ପରିଚାଳନା ସମିତି ସଦସ୍ୟମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଶ୍ରୀମତୀ ଯାଜ୍ଞସେନୀ ସାହା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସମୀର କୁମାର ବେହେରା ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ସଙ୍ଗୀତା ସେଠୀଙ୍କ ବାସଭବନକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ସମ୍ବର୍ଦ୍ଧନା ପତ୍ର ଓ ଶୁଭେଚ୍ଛା ଜଣାଇଥିଲେ।
ଏହି ସମୟରେ ସେମାନେ କହିଥିଲେ ଯେ, ସଙ୍ଗୀତାଙ୍କ ସଫଳତା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ। ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ନିଷ୍ଠାର ସହ ଜନସେବା କ୍ଷେତ୍ରରେ କାର୍ଯ୍ୟ କରି ସମାଜର ଉନ୍ନତିରେ ଅବଦାନ ରଖିବେ ବୋଲି ଆଶା ପ୍ରକାଶ କରିଥିଲେ।
ସଙ୍ଗୀତା ସେଠୀଙ୍କ ଏହି ଉଲ୍ଲେଖନୀୟ ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ କେସିଙ୍ଗା ଓ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ଏକ ଗୌରବମୟ ଅଧ୍ୟାୟ ଭାବେ ପରିଗଣିତ ହେଉଛି।
What's Your Reaction?