ଅମାନବିକତାର ଚରମ ନମୁନା: ଜଙ୍ଗଲରେ ଶବ ଓ ବୃଦ୍ଧାଙ୍କୁ ଛାଡ଼ି ପଳାଇଲା ବୋଲେରୋ ଚାଳକ, ପୁଣି ମନେ ପଡ଼ିଲା ‘ଦାନ ମାଝୀ’ ଘଟଣା

Jun 3, 2026 - 10:21
 0  1
ଅମାନବିକତାର ଚରମ ନମୁନା: ଜଙ୍ଗଲରେ ଶବ ଓ ବୃଦ୍ଧାଙ୍କୁ ଛାଡ଼ି ପଳାଇଲା ବୋଲେରୋ ଚାଳକ, ପୁଣି ମନେ ପଡ଼ିଲା ‘ଦାନ ମାଝୀ’ ଘଟଣା

ଥୁଆମୂଳ ରାମପୁର, ତା. ୨ ଜୁନ(ଷ୍ଟାର ନ୍ୟୁଜ ଓଡ଼ିଶା):
ସମାଜରୁ ଧୀରେ ଧୀରେ ହଜିଯାଉଛି ମାନବିକତା ଓ ସହାନୁଭୂତି। ଅର୍ଥଲୋଭ ଓ ଆତ୍ମକେନ୍ଦ୍ରିକତା ମଧ୍ୟରେ ମଣିଷପଣିଆ କେଉଁଠି ହଜିଯାଉଛି, ତାହାର ଏକ ହୃଦୟବିଦାରକ ଉଦାହରଣ କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି। ଥୁଆମୂଳ ରାମପୁର–ଭବାନୀପାଟଣା ମୁଖ୍ୟ ରାସ୍ତାର କିଆପଦର ଛକ ନିକଟସ୍ଥ ତେନ୍ତୁଳିପଦର ଜଙ୍ଗଲ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ କ୍ଷୋଭର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମର ବୃନ୍ଦାବନ ସାହୁ (୫୮) ଗୁରୁତର ଅସୁସ୍ଥତା ଯୋଗୁଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଆର୍ଥିକ ଅନଟନ ଯୋଗୁଁ ପରିବାର ଲୋକେ ବୁର୍ଲା ନେବା ପରିବର୍ତ୍ତେ ଏକ ବେସରକାରୀ ବୋଲେରୋ ଯୋଗେ ତାଙ୍କୁ ଘରକୁ ଫେରାଇ ଆଣୁଥିଲେ।
ଦୁର୍ଭାଗ୍ୟବଶତଃ, ଘରକୁ ଫେରୁଥିବା ସମୟରେ ତେନ୍ତୁଳିପଦର ଜଙ୍ଗଲ ରାସ୍ତାରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ବୋଲେରୋ ଚାଳକ ମାନବିକତାର ସମସ୍ତ ସୀମା ଅତିକ୍ରମ କରି ମୃତଦେହ ସହ ତାଙ୍କ ବୃଦ୍ଧା ସ୍ତ୍ରୀ ଏବଂ ସମ୍ପର୍କୀୟଙ୍କୁ ନିର୍ଜନ ଜଙ୍ଗଲ ମଧ୍ୟରେ ଓହ୍ଲାଇ ଦେଇ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି।
ଜଙ୍ଗଲ ମଧ୍ୟରେ ସ୍ୱାମୀଙ୍କ ମୃତଦେହ ପାଖରେ ଅସହାୟ ଭାବେ ବସି ରହିଥିବା ବୃଦ୍ଧା ପତ୍ନୀଙ୍କ ଦୃଶ୍ୟ ଅନେକଙ୍କ ଆଖିକୁ ଲୁହରେ ଭରିଦେଇଛି। ଏହି ଘଟଣା ବହୁ ଚର୍ଚ୍ଚିତ ‘ଦାନ ମାଝୀ’ ଘଟଣାର କରୁଣ ସ୍ମୃତିକୁ ପୁଣିଥରେ ଉଜାଗର କରିଛି।
ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ, ଯଦି ଭଡ଼ା ବାବଦରେ ଅଧିକ ଅର୍ଥର ଆବଶ୍ୟକତା ଥିଲା, ତେବେ ଚାଳକ ମୃତଦେହକୁ ଘରେ ପହଞ୍ଚାଇ ସେଠାରେ ଅର୍ଥ ଦାବି କରିପାରିଥାନ୍ତା। କିନ୍ତୁ ଏଭଳି ନିର୍ଜନ ଜଙ୍ଗଲରେ ଏକ ଶବ ଓ ଅସହାୟ ପରିବାରକୁ ଛାଡ଼ି ଚାଲିଯିବା କେବଳ ଅମାନବୀୟ ନୁହେଁ, ବରଂ ଦାୟିତ୍ୱହୀନତାର ଏକ ଜ୍ୱଳନ୍ତ ଉଦାହରଣ।
ଘଟଣାର ଖବର ପାଇବା ପରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦୀସାରୀ ତୁରନ୍ତ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜନପ୍ରତିନିଧି ଓ ବିଜେଡି ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନୂତନ ବସ୍ତ୍ରରେ ଆଚ୍ଛାଦିତ କରିବା ସହ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।
ପରବର୍ତ୍ତୀ ସମୟରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ପରତାରେ ସରକାରୀ ‘ମହାପ୍ରୟାଣ’ ଗାଡ଼ି ବ୍ୟବସ୍ଥା କରାଯାଇ ମୃତଦେହକୁ ସମ୍ମାନର ସହ ବଡ଼ଛତ୍ରଙ୍ଗ ଗ୍ରାମକୁ ପଠାଯାଇଥିଲା।
ଏହି ଘଟଣା ପୁଣିଥରେ ପ୍ରମାଣିତ କରିଛି ଯେ, ଅର୍ଥ ହିଁ ଜୀବନର ସବୁକିଛି ନୁହେଁ। ମାନବିକତା, ସହାନୁଭୂତି ଓ ପରୋପକାର ହିଁ ଏକ ସୁସ୍ଥ ସମାଜର ମୂଳ ଆଧାର। ବିପଦ ସମୟରେ ଅସହାୟ ମଣିଷଙ୍କ ପାଖରେ ଠିଆ ହେବା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ବୋଲି ସମାଜସେବୀ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ
ଷ୍ଟାର ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR