ରମେଶ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା, ସାହିତ୍ୟ ଜଗତରେ ଶୋକ

Aug 14, 2026 - 14:38
0 114
ରମେଶ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା, ସାହିତ୍ୟ ଜଗତରେ ଶୋକ

କେସିଙ୍ଗା, ୧୪/୮ (ଷ୍ଟାରନିୟୁଜ ଓଡିଶା): କଳାହାଣ୍ଡିର ସାହିତ୍ୟ ଓ ସାଂସ୍କୃତିକ ପରିବେଶରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା ସାରସ୍ୱତ ସ୍ରଷ୍ଟା, ସମାଜସେବୀ ତଥା ସାହିତ୍ୟ ଅନୁଷ୍ଠାନର ଉପସଭାପତି ସ୍ୱର୍ଗତ ରମେଶ କୁମାର ଜେନାଙ୍କ ବିୟୋଗରେ କେସିଙ୍ଗାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।
ସ୍ଥାନୀୟ ରୁଷି ସାହା ସଂସ୍କୃତି ଭବନରେ ଗୁରୁବାର ଆୟୋଜିତ ଏହି ସଭାରେ ସାହିତ୍ୟିକ, ଶିକ୍ଷକ, ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନର ସଦସ୍ୟ-ସଦସ୍ୟାମାନେ ଯୋଗଦେଇଥିଲେ। ଉପସ୍ଥିତ ସମସ୍ତେ ସ୍ୱର୍ଗତ ଜେନାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିବା ସହ ଦୁଇ ମିନିଟ୍ ନିରବତା ପାଳନ କରିଥିଲେ।
ବକ୍ତାମାନେ କହିଥିଲେ, ରମେଶ ଜେନାଙ୍କ ସାହିତ୍ୟିକ ଅବଦାନ କଳାହାଣ୍ଡିର ମାଟି, ମଣିଷ ଓ ସ୍ଥାନୀୟ ସଂସ୍କୃତିକୁ ଶବ୍ଦରେ ଉପସ୍ଥାପନ କରିବାରେ ଏକ ବିଶେଷ ଭୂମିକା ନେଇଥିଲା। ସାହିତ୍ୟ ସହ ସାମାଜିକ କାର୍ଯ୍ୟକଳାପରେ ମଧ୍ୟ ସେ ସକ୍ରିୟ ଥିଲେ। ଅନୁଷ୍ଠାନର ବିଭିନ୍ନ ସମୟରେ ସହସମ୍ପାଦକ, କୋଷାଧ୍ୟକ୍ଷ, ସମ୍ପାଦକ ଓ ଉପସଭାପତି ଭଳି ଦାୟିତ୍ୱ ନିଭାଇ ସେ ସଂଗଠନକୁ ମଜବୁତ କରିବାରେ ଅବଦାନ ରଖିଥିଲେ।
ତାଙ୍କର ଅମାୟିକ ବ୍ୟବହାର, ନିଷ୍ଠା ଓ ସରଳ ଜୀବନଶୈଳୀ ସମସ୍ତଙ୍କ ମନରେ ଚିରସ୍ଥାୟୀ ଛାପ ଛାଡ଼ିଯାଇଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ରମେଶ ଜେନାଙ୍କ ବିୟୋଗ କେବଳ ପରିବାର ପାଇଁ ନୁହେଁ, କେସିଙ୍ଗା ଓ ସମଗ୍ର କଳାହାଣ୍ଡିର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ କହିଥିଲେ। ତାଙ୍କ ସୃଷ୍ଟି ଓ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଚାଲିବ ବୋଲି ମତ ପ୍ରକାଶ ପାଇଥିଲା।
ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ନିରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର କେନ୍ଦ୍ରୀୟ ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ ଫୋନ୍ ଯୋଗେ ଶୋକବ୍ୟକ୍ତ କରିଥିଲେ।
ସଭାରେ ହରିଶଙ୍କର ଭୋଇ, ବୈଷ୍ଣବ ଚରଣ ସାହା, ମଞ୍ଜୁମେଧା ଗୁରୁ, ରୁବି ଚୌଧୁରୀ, ଦେବେନ୍ଦ୍ର ଲାଲ, ଡମ୍ବରୁଧର ଭୋଇ, ହିମାଞ୍ଚଳ ସାହୁ, ସୁଶାନ୍ତ ମୁଣ୍ଡ, ସଂଯୁକ୍ତା ପାଢ଼ୀ, ଗୋବିନ୍ଦ ବାଗ, କମଳାକାନ୍ତ ସାହା, କର୍ଣ୍ଣ ଗହୀରଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ସ୍ୱର୍ଗତ ରମେଶ ଜେନାଙ୍କ ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User