ମାସେ ପରେ ବଡ଼ ଡକାୟତିର ପର୍ଦ୍ଦାଫାଶ ୭୨ ଗ୍ରାମ ସୁନା, ୧୧୩୮ ଗ୍ରାମ ରୂପା ସହ ₹୨.୭୦ ଲକ୍ଷ ଜବତ; ୬ ଗିରଫ
କେସିଙ୍ଗା, ୨୫l ୮ (ଷ୍ଟାରନିୟୁଜ ଓଡ଼ିଶା):କେସିଙ୍ଗା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଡ଼ଧରଣର ଡକାୟତି ଘଟଣାର ମାସେ ପରେ ପର୍ଦ୍ଦାଫାଶ କରିଛି କେସିଙ୍ଗା ପୋଲିସ। ଗତ ଜୁଲାଇ ୨୦ ତାରିଖରେ କେସିଙ୍ଗା ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଅଗ୍ରୱାଲଙ୍କ ଘରେ ଡକାୟତି ହୋଇଥିଲା। ପରିବାର ଏକକାର୍ଯ୍ୟକ୍ରମ ପାଇଁ ସହର ବାହାରେ ଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଲୁଟ୍ କରିଥିଲେ।
ଦୀର୍ଘ ତଦନ୍ତ ପରେ ପୋଲିସ ଡକାୟତି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ୱାର୍ଡ ନଂ-୩ର ନରେଶ ତାଣ୍ଡି (୨୭), ରାୟଗଡ଼ା ଜିଲ୍ଲା ଆରକେ ନଗରର ରବି ଶଙ୍କର ମହାନନ୍ଦିଆ (୩୩), ରାହୁଲ ସାମଲ (୨୩), ପ୍ରମି ଶ୍ରୀକାନ୍ତ (୩୨), ତେଜପ ଓରଫ ଅଜିତ ନାଏକ (୨୭) ଏବଂ ରାୟଗଡ଼ା ଜିଲ୍ଲା କୋଟାପେଟା ଦୀପସାହିର ହୁଇକା ଦୂତିଆ।
ଅଭିଯୁକ୍ତମାନଙ୍କ ନିକଟରୁ ୭୨ ଗ୍ରାମ ସୁନା, ୧୧୩୮ ଗ୍ରାମ ରୂପା ଏବଂ ନଗଦ ₹୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି।
ମଙ୍ଗଳବାର କେସିଙ୍ଗା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଏହି ସୂଚନା ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ କେସିଙ୍ଗା ସହରରେ ପର୍ଯ୍ୟାୟକ୍ରମେ ଘଟିଥିବା ବଡ଼ଧରଣର ଚୋରି ଓ ଡକାୟତି ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଥିଲା। ଏହି ମାମଲାରେ ପୋଲିସର ସଫଳତା ସହରବାସୀଙ୍କୁ ଆଶ୍ୱସ୍ତ କରିଛି।
ଡକାୟତି ଘଟଣାର ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫରେ ସଫଳତା ପାଇଁ ଏସଡିପିଓ ସନ୍ଦୀପ ମାଝୀ, ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ସମେତ ସମଗ୍ର କେସିଙ୍ଗା ପୋଲିସ ଟିମ୍କୁ ଏସ୍ପି ପ୍ରଶଂସା କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ପୋଲିସ ଷ୍ଟେସନର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଜବତ ସାମଗ୍ରୀର ସମ୍ପୂର୍ଣ୍ଣ ଉତ୍ସ ଓ ଡକାୟତିର ଅନ୍ୟାନ୍ୟ ଦିଗ ନେଇ ପୋଲିସର ତଦନ୍ତ ଜାରି ରହିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)