କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ବିଜେପିରେ ସାମିଲ: ୧୦ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଶଙ୍ଖ ଛାଡ଼ିଲେ

Jul 26, 2026 - 09:06
0 168
କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ବିଜେପିରେ ସାମିଲ: ୧୦ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଶଙ୍ଖ ଛାଡ଼ିଲେ

କେସିଙ୍ଗା,୨୬/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):
କଳାହାଣ୍ଡି ଜିଲ୍ଲାର ରାଜନୀତିରେ ଶନିବାର ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ନିଜ ସମର୍ଥକ ଓ ୧୦ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଲବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପିରେ ସ୍ୱାଗତ କରାଯାଇଥିଲା।
ମଦନପୁର-ରାମପୁର ଅଞ୍ଚଳର ଜଣେ ଜନପ୍ରିୟ ନେତା ଭାବେ ପରିଚିତ ପୁଷ୍ପେନ୍ଦ୍ର ସିଂ ଦେଓ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି। ସେ ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ କିରଣ ସିଂ ଦେଓଙ୍କ ସୁପୁତ୍ର ହୋଇଥିବା ସହ ଦୀର୍ଘଦିନ ଧରି ବିଜେଡିର ଜଣେ ପ୍ରଭାବଶାଳୀ ସଂଗଠକ ଭାବେ ପରିଚିତ ଥିଲେ।
ଦଳ ପରିବର୍ତ୍ତନକୁ ନେଇ କିଛିଦିନ ଧରି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା। ପ୍ରଥମେ ଏନେଇ ସ୍ପଷ୍ଟ ମତ ପ୍ରକାଶ ନକରିଥିବା ପୁଷ୍ପେନ୍ଦ୍ର ସିଂ ଦେଓ ପରେ ନିଜେ ବିଜେପିର ମିଶ୍ରଣ ପର୍ବରେ ଯୋଗଦେବା ନେଇ ସୂଚନା ଦେଇଥିଲେ। ଶନିବାର ସେହି ଚର୍ଚ୍ଚାର ଅବସାନ ଘଟି ତାଙ୍କର ବିଜେପିରେ ଯୋଗଦାନ ସ୍ପଷ୍ଟ ହୋଇଛି।
ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସହ ୧୦ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜେପିରେ ସାମିଲ ହେବା କଳାହାଣ୍ଡି ଜିଲ୍ଲାର ରାଜନୈତିକ ସମୀକରଣକୁ ନୂଆ ମୋଡ଼ ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ବିଶେଷକରି ଆଗାମୀ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦଳବଦଳକୁ କଳାହାଣ୍ଡି ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User