ସ୍ୱାୟତ୍ତ ଶାସନ ଦିବସରେ ଟ୍ୟାକ୍ସ ଆଦାୟ ଉପରେ ଜୋର ଏନ୍ଏସିର ଆୟ ବୃଦ୍ଧି ସହ ସହର ବିକାଶ ନେଇ ଉଠିଲା ପ୍ରଶ୍ନ
କେସିଙ୍ଗା, ୩୧/୮( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ପକ୍ଷରୁ ରବିବାର ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଏସିର ଆର୍ଥିକ ସ୍ଥିତି, ଟ୍ୟାକ୍ସ ଆଦାୟ ଓ ସହର ବିକାଶ ନେଇ ଆଲୋଚନା ହୋଇଥିଲା।
ଅଧ୍ୟକ୍ଷ ଶ୍ରୀ ଯାଦବ କହିଥିଲେ ଯେ ଏନ୍ଏସିର ମାସିକ ବିଦ୍ୟୁତ୍ ଖର୍ଚ୍ଚ ପ୍ରାୟ ୩ ଲକ୍ଷ ଟଙ୍କା ରହୁଛି। ବିଭିନ୍ନ ୱାର୍ଡରେ ସଫେଇ ଖଜଣା ଓ ଅନ୍ୟାନ୍ୟ ଟ୍ୟାକ୍ସ ନିୟମିତ ଭାବେ ଆଦାୟ ହେଉନଥିବାରୁ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିବା ସେ ସୂଚନା ଦେଇଥିଲେ। ବିଶେଷକରି ୧, ୨, ୩, ୪, ୧୦, ୧୧ ଓ ୧୨ ନମ୍ବର ୱାର୍ଡରେ ଟ୍ୟାକ୍ସ ପ୍ରଦାନ ହାର କମ୍ ଥିବା ସେ ଉଲ୍ଲେଖ କରିଥିଲେ।
ଏହାସହ ବଗାଡ଼ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା କରାଯାଇଥିବା ଓ ଶ୍ମଶାନ ଘାଟ ନିର୍ମାଣ ହୋଇଥିବା ସୂଚନା ଦେଇ ଖୁବଶୀଘ୍ର ଏହାର ଉଦ୍ଘାଟନ କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ।
ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଏନ୍ଏସିକୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସହରର ବିକାଶ ପାଇଁ ଲୋକେ ନିୟମିତ ଟ୍ୟାକ୍ସ ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ।
ତେବେ ଏନ୍ଏସି ପକ୍ଷରୁ ଟ୍ୟାକ୍ସ ଦେବାକୁ ଆହ୍ୱାନ ଦିଆଯାଇଥିବା ବେଳେ ସହରର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୀର୍ଘଦିନ ଧରି ସହରର ଡେଲି ମାର୍କେଟ୍ର ଉନ୍ନତିକରଣ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲ୍ଇଡି ଲାଇଟ୍ର ଅଚଳାବସ୍ଥା, ଜଗନ୍ନାଥ ମନ୍ଦିର ଛକର ଟ୍ରାଫିକ୍ ସିଗ୍ନାଲ୍ ସମସ୍ୟା, ଖରାପ ରାସ୍ତା, ମଶା ନିୟନ୍ତ୍ରଣ, ବୁଲା ଗୋରୁ ଓ କୁକୁରଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ଅଭିଯୋଗ ରହିଛି।
ସେହିପରି ସହରର ପ୍ରମୁଖ ଛକ, ବଜାର ଓ ସମ୍ବେଦନଶୀଳ ସ୍ଥାନରେ CCTV କ୍ୟାମେରା ସ୍ଥାପନ, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ବସ୍ଷ୍ଟାଣ୍ଡର ସୁଚାରୁ ପରିଚାଳନା ନେଇ ମଧ୍ୟ ଦାବି ହୋଇଆସୁଛି। ସହରର ପରିମଳ ବ୍ୟବସ୍ଥା ଓ ନିୟମିତ ସଫେଇ ନେଇ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖାଯାଉଛି।
ପୂର୍ବରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି, ଅନୁମୋଦନ ଓ ଅର୍ଥ ବରାଦ ହୋଇଥିବା କୁହାଯାଇଥିଲେ ମଧ୍ୟ ଅନେକ କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ରହିଛି। ଫଳରେ ଟ୍ୟାକ୍ସ ପ୍ରଦାନ ସହ ଏନ୍ଏସି ପକ୍ଷରୁ ଲୋକଙ୍କୁ ମିଳୁଥିବା ସେବାର ଗୁଣବତ୍ତା ଓ ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶ୍ନ ଉଠୁଛି।
ସହରର ସୁବ୍ୟବସ୍ଥିତ ବିକାଶ ପାଇଁ ଟ୍ୟାକ୍ସ ଆଦାୟ ନିଶ୍ଚିତ ଭାବେ ଆବଶ୍ୟକ। ତେବେ ଟ୍ୟାକ୍ସଦାତାଙ୍କ ଆସ୍ଥା ବଜାୟ ରଖିବା ପାଇଁ ଟ୍ୟାକ୍ସ ବାବଦରେ ଆଦାୟ ହେଉଥିବା ଅର୍ଥର ସୁଚିନ୍ତିତ ବ୍ୟବହାର, ପାରଦର୍ଶିତା ଓ ଦୃଶ୍ୟମାନ ବିକାଶ କାର୍ଯ୍ୟ ଉପରେ ଏନ୍ଏସିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସହରବାସୀ ମତପ୍ରକାଶ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)