କଲେକ୍ଟରପଡ଼ାରେ ସ୍ୱାଧୀନତା ଦିବସ: ମୌଳିକ ସୁବିଧା ପାଇଁ ନୂଆ ଆଶ୍ୱାସନ ପାନୀୟଜଳ, ସୋଲାର ଲାଇଟ୍‌, ରାସ୍ତା ଓ ଆବାସ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି

Aug 15, 2026 - 17:03
0 126
କଲେକ୍ଟରପଡ଼ାରେ ସ୍ୱାଧୀନତା ଦିବସ: ମୌଳିକ ସୁବିଧା ପାଇଁ ନୂଆ ଆଶ୍ୱାସନ ପାନୀୟଜଳ, ସୋଲାର ଲାଇଟ୍‌, ରାସ୍ତା ଓ ଆବାସ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି

କେସିଙ୍ଗା, ୧୫/୮ (ଷ୍ଟାରନିୟୁଜ ଓଡ଼ିଶା):
ଦେଶ ସ୍ୱାଧୀନତାର ୮୦ତମ ବର୍ଷ ପାଳନ କରୁଥିବା ବେଳେ ମଧ୍ୟ କେସିଙ୍ଗା ବ୍ଲକର କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କଲେକ୍ଟରପଡ଼ାର ଲୋକଙ୍କ ଜୀବନରେ ମୌଳିକ ସୁବିଧାର ଅଭାବ ଏବେ ବି ଚିନ୍ତାର କାରଣ ହୋଇ ରହିଛି। ଏହି ପରିସ୍ଥିତି ମଧ୍ୟରେ କେସିଙ୍ଗା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶନିବାର ପଡ଼ାରେ ସ୍ୱାଧୀନତା ଦିବସ ପାଳନ ସହ ଲୋକଙ୍କ ସମସ୍ୟା ବୁଝିବାକୁ ଏକ ବିଶେଷ ପଦକ୍ଷେପ ନିଆଯାଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ଖଟୁଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କନ୍ତେଶିର ସରପଞ୍ଚ ବିଶିଷ୍ଟ ଅତିଥି ଭାବେ ଏବଂ ବିଜେଡି ଟାଉନ ସଭାପତି ନଳିନୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆସୋସିଏସନର ସଭାପତି ନୃପରାଜ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରାୟ ୪୨ଟି ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଥିବା ଏହି ପଡ଼ାରେ ଆଲୋକ ଓ ପାନୀୟଜଳ ସମସ୍ୟା ଗୁରୁତର। ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ନିର୍ଭରଯୋଗ୍ୟ ପାନୀୟଜଳ ପାଇବାରୁ ବଞ୍ଚିତ। ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ଦୁଇ ବର୍ଷ ତଳେ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ପଡ଼ାର ଅଧିକାଂଶ ପରିବାର ଏବେ ବି ପଲିଥିନ ଓ ଝାଟିମାଟି ଘରେ ରହୁଛନ୍ତି। ଆଲୋକ ବ୍ୟବସ୍ଥା ନଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଏହି ଅଞ୍ଚଳରେ ରାତିରେ ଲୋକଙ୍କ ଯାତାୟାତ ଓ ସୁରକ୍ଷା ନେଇ ମଧ୍ୟ ସମସ୍ୟା ରହିଛି।
କାର୍ଯ୍ୟକ୍ରମ ପରେ ଡା. ଖଟୁଆ, ସରପଞ୍ଚ, ନଳିନୀ ପଟ୍ଟନାୟକ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତାମାନେ ପରିବାରଗୁଡ଼ିକ ନିକଟକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ।
ଡା. ଖଟୁଆ ପଡ଼ାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ଦେଇ ନିଶା ନିବାରଣ ଓ ପରିବେଶ ସୁରକ୍ଷା ସଚେତନତା ସହ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ମାଗଣା ଚିକିତ୍ସା ଯୋଗାଇଦେବାକୁ କହିଥିଲେ। ବିଶେଷକରି ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ।
ନଳିନୀ ପଟ୍ଟନାୟକ ନର୍ଲା ବିଧାୟିକାଙ୍କ ସହ ଆଲୋଚନା କରି ପଡ଼ାରେ ୬ଟି ସୋଲାର ଲାଇଟ୍‌, ଆଉ ଗୋଟିଏ ନଳକୂପ ଓ ରାସ୍ତା ନିର୍ମାଣ ଶୀଘ୍ର କରାଯିବ ବୋଲି ପ୍ରକାଶ କରିଥିଲେ। ସେହିପରି ସରପଞ୍ଚ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟଜଳ, ରାସ୍ତା ଓ ବୃଦ୍ଧବୃଦ୍ଧାଙ୍କ ଭତ୍ତା ସମ୍ପର୍କିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।
ସ୍ୱାଧୀନତା ଦିବସ ଅବସରରେ ପଡ଼ାର ଝିଅମାନଙ୍କ ପକ୍ଷରୁ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ଆସୋସିଏସନର ଅର୍ଗାନାଇଜର ସମ୍ପାଦକ ସୁଜୟ ଲଙ୍ଗଲତି ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ୱାଧୀନତା ଦିବସର ଏହି ଆୟୋଜନ କେବଳ ପତାକା ଉତ୍ତୋଳନରେ ସୀମିତ ନରହି ପଡ଼ାବାସୀଙ୍କ ମୌଳିକ ସମସ୍ୟାକୁ ସାମ୍ନାକୁ ଆଣିବାର ଏକ ମଞ୍ଚ ହୋଇଥିବାରୁ ଏହାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User