୧୦ ଲକ୍ଷ ଟଙ୍କାର ତମ୍ବା ତାର ଚୋରି ଘଟଣାରେ ୫ ଗିରଫ

May 21, 2026 - 14:06
0 24
୧୦ ଲକ୍ଷ ଟଙ୍କାର ତମ୍ବା ତାର ଚୋରି ଘଟଣାରେ ୫ ଗିରଫ

କେସିଙ୍ଗା, ୨୦/୦୫ (ଷ୍ଟାର ନ୍ୟୁଜ ଓଡିଶା) : କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳରେ ଘଟିଥିବା ବଡ଼ ଧରଣର ତମ୍ବା ତାର ଚୋରି ଘଟଣାରେ କେସିଙ୍ଗା ପୋଲିସ ବଡ଼ ସଫଳତା ହାସଲ କରିଛି। ବେଦାନ୍ତ ପମ୍ପ ହାଉସ୍‌ରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ତମ୍ବା ତାର ଚୋରି ହୋଇଥିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଚୋରା ତାର ସହ ନଗଦ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁସାରେ, ଗତ ୧୫ ତାରିଖରେ କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ ହାଉସ୍‌ରୁ ତମ୍ବା ତାର ଚୋରି ହୋଇଥିଲା। ଏନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କେସିଙ୍ଗା ପୋଲିସ ଏକ ବିଶେଷ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।
ମଙ୍ଗଳବାର ଅପରାହ୍ନରେ ପୋଲିସ ଗୁପ୍ତ ସୂଚନା ପାଇ ଅମାଠ ଛକ ନିକଟରେ ଚଢାଉ କରିଥିଲା। ସେଠାରେ ଏକ ଟାଟା ଏସି ଗାଡ଼ିରେ ଚୋରା ତମ୍ବା ତାର ବଲାଙ୍ଗୀରକୁ ନେଇ ବିକ୍ରି ପାଇଁ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ଗାଡ଼ିରୁ ପ୍ରାୟ ୪ କ୍ୱିଣ୍ଟାଲ ୮୦ କିଲୋଗ୍ରାମ ତମ୍ବା ତାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଛତିଶଗଡ଼ର ମହାସମୁନ୍ଦ ଜିଲାର ୩ ଜଣ, କଳାହାଣ୍ଡିର ଜଣେ ଓ ବଲାଙ୍ଗୀରର ଜଣେ ତମ୍ବା ତାର କ୍ରେତା ଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ସିଜ୍‌ କରାଯାଇଛି।
କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୁଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସମସ୍ତ ତଥ୍ୟ ଦେଇଥିଲେ। ଏହି ସମୟରେ ଏସ୍‌ଡିପିଓ ସନ୍ଦୀପ ମାଝୀ ଓ କେସିଙ୍ଗା ଥାନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ। ଏନେଇ କେସିଙ୍ଗା ଥାନାରେ କେସ୍‌ ନମ୍ବର ୧୪୨/୨୬ ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User