ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଳାହାଣ୍ଡିର ୪,୦୮,୫୭୧ ହିତାଧିକାରୀଙ୍କ ଖାତାକୁ ଗଲା ₹୫,୦୦୦ ଲେଖାଏଁ

Aug 28, 2026 - 21:19
0 9
ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଳାହାଣ୍ଡିର ୪,୦୮,୫୭୧ ହିତାଧିକାରୀଙ୍କ ଖାତାକୁ ଗଲା ₹୫,୦୦୦ ଲେଖାଏଁ

ଭବାନୀପାଟଣା, ୨୮/୦୮( ଷ୍ଟାରନିୟୁଜ ଓଡିଶା )ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରମୁଖ ଯୋଜନା ‘ସୁଭଦ୍ରା’ର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାସ୍ତରରେ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ ଏହି ସମାରୋହରେ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଥିଲେ ଯେ, ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହ ସମ୍ମାନଜନକ ଜୀବନଯାପନ ପାଇଁ ଏକ ଐତିହାସିକ ପଦକ୍ଷେପ। ଯୋଜନାରୁ ମିଳୁଥିବା ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା, ସନ୍ତାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଛୋଟ ବ୍ୟବସାୟରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ସହଭାଗୀ ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକାରିତା ଓ ହିତାଧିକାରୀଙ୍କ ସଫଳତାର କାହାଣୀ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ଅଗ୍ରଗତି ନେଇ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ।
ପରେ ନୟାଗଡ଼ରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ସିଧାପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ରେ ଉପସ୍ଥିତ ଅତିଥି ଓ ହିତାଧିକାରୀମାନେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇଥିଲେ।
କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ହିତାଧିକାରୀଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଡିବିଟି ମାଧ୍ୟମରେ ଏହି ଅର୍ଥରାଶି ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି।
କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User