ତେଲେଙ୍ଗାନାରୁ ଗୋଲାମୁଣ୍ଡା ଫେରିଲା ଦାଦନ ଶ୍ରମିକଙ୍କ ଶବ, ସହାୟତାର ହାତ ବଢ଼ାଇଲା ବିନ୍ଦୁ ମୀନା ଫାଉଣ୍ଡେସନ
କଳାହାଣ୍ଡି, ୨୨/୦୮ (ଷ୍ଟାର ନିୟୁଜ ଓଡ଼ିଶା): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିବା ଜଣେ ଯୁବ ଶ୍ରମିକଙ୍କ ମୃତଦେହ ଶେଷରେ ନିଜ ଗାଁ ମାଟିକୁ ଫେରିଛି। ମୃତଦେହ ଗାଁକୁ ଆଣିବାରେ ଅସମର୍ଥ ପରିବାରକୁ ସହାୟତାର ହାତ ବଢ଼ାଇଛି ଗୋଲାମୁଣ୍ଡା ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିନ୍ଦୁ ମୀନା ଫାଉଣ୍ଡେସନ’।
ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ୨୮ ବର୍ଷୀୟ ବିକାଶ ଚନ୍ଦ୍ର ଜାଲ ପରିବାର ସହ ରୋଜଗାର ଆଶାରେ ତେଲେଙ୍ଗାନାର ରାମଗୁଣ୍ଡାମ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ଦୁର୍ଘଟଣାରେ ବିକାଶ ଗୁରୁତର ଆହତ ହୋଇଥିଲେ। ପରେ ରାମଗୁଣ୍ଡାମ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ, ଆର୍ଥିକ ଅସୁବିଧା ଯୋଗୁଁ ମୃତଦେହକୁ ନିଜ ଗାଁକୁ ଆଣିବା ପରିବାର ପକ୍ଷେ ସମ୍ଭବ ହୋଇନଥିଲା। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବିନ୍ଦୁ ମୀନା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ସେ ଧର୍ମେନ୍ଦ୍ର ଜାଲ ଓ ଡମ୍ବରୁଧର ଜାଲଙ୍କ ସହ ଆଲୋଚନା କରି ତୁରନ୍ତ ଏକ ଫ୍ରିଜର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ।
ଶନିବାର ବିକାଶଙ୍କ ମୃତଦେହ ଘୋଟିଆ ଗ୍ରାମରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଗାଁ ଶ୍ମଶାନରେ ବିକାଶଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ଦୁଃଖଦ ସମୟରେ ମୃତକଙ୍କ ପରିବାର ପାଖରେ ଠିଆ ହୋଇ ମୃତଦେହ ଗାଁକୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ବିନ୍ଦୁ ମୀନା ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)