କୋକସରାରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୮୧ ହିତାଧିକାରୀ ଉପକୃତ
କୋକସରା, ୨୩l ୭: (ଷ୍ଟାରନିୟୁଜ ଓଡିଶା) କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସେବା ଓ ସୁବିଧା ସହଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ବ୍ଲକର ୨୨ଟି ପଞ୍ଚାୟତରୁ ମୋଟ ୩୮୧ ଜଣ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସନ୍ଥକବି ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ବ୍ଲକ ବିକାଶ ଅଧିକାରୀ ଡ଼. ହିମାଞ୍ଚଳ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ତ୍ରିନାଥ ଶବର ମୁଖ୍ୟ ଅତିଥି, ସମିତି ସଭ୍ୟ ସଂଘ ସମ୍ପାଦକ ଗଜାନନ ନିଆଳ ମୁଖ୍ୟବକ୍ତା ଏବଂ ଡିଡିଆରଏସ୍ କଳାହାଣ୍ଡିର ନୋଡାଲ ଅଧିକାରୀ ନିବାସ ଚନ୍ଦ୍ର ସାହୁ, ଲଡୁଗାଁ ପିଏଚସିର ମେଡିକାଲ ଅଫିସର ଡା. ଶିବାନନ୍ଦ ନାଏକ ଓ ଧର୍ମଗଡ଼ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।
ଶିବିରରେ ଆସିଥିବା ସମସ୍ତ ହିତାଧିକାରୀଙ୍କର ପଞ୍ଜୀକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଅସ୍ତିଶଲ୍ୟ, ମାନସିକ ରୋଗ, ଇଏନଟି ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସହ ଭିନ୍ନକ୍ଷମ ଭତ୍ତା, ଟ୍ରାଇସାଇକେଲ ଓ ହ୍ୱିଲଚେୟାର ଭଳି ସହାୟକ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପିଇଓ ଜାଫେଦ ନାଗ କରିଥିବା ବେଳେ ଭାରପ୍ରାପ୍ତ ବିଏସଏସଓ ଲୋକନାଥ ଭାଟି, ସହାୟକ ରାଜେଶ ପଟେଲଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ ଏବଂ ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀମାନେ ପଞ୍ଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଏହି ଶିବିର ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏକକ ସ୍ଥାନରେ ସ୍ୱାସ୍ଥ୍ୟ ସେବା, ପ୍ରମାଣପତ୍ର ଏବଂ ସରକାରୀ ସହାୟତା ପାଇବାର ସୁଯୋଗ ପାଇଥିବାରୁ ହିତାଧିକାରୀମାନେ ପ୍ରଶାସନ ପ୍ରତି କୃତଜ୍ଞତା ଜଣାଇଥିଲେ।
What's Your Reaction?