ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନ
ଭବାନୀପାଟଣା, ୨୩/୦୭ (ଷ୍ଟାର ନ୍ୟୁଜ ଓଡ଼ିଶା):
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ, ହେଲ୍ପର ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ଷେତ୍ରସ୍ତରରେ କାର୍ଯ୍ୟ ସମ୍ପାଦନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ, ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀମତୀ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁଓ) ଶ୍ରୀମତୀ ମୁଜିବୁନ୍ ନିଶାଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାର ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ, ହେଲ୍ପର ଓ ସୁପରଭାଇଜରମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।
ଆଲୋଚନା ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ବର୍ଦ୍ଧିତ ଦରଦାମ ଯୋଗୁଁ ଅଣ୍ଡା ଯୋଗାଣରେ ହେଉଥିବା ଅସୁବିଧା, ସମ୍ମାନରାଶି ବୃଦ୍ଧି, ₹୧୦,୦୦୦ ପ୍ରୋତ୍ସାହନ ରାଶିକୁ ଦୁଇଟି କିସ୍ତି ପରିବର୍ତ୍ତେ ଏକକାଳୀନ ପ୍ରଦାନ, ଆକସ୍ମିକ ବ୍ୟୟ (କଣ୍ଟିଜେନ୍ସି) ସମ୍ବନ୍ଧୀୟ ସମସ୍ୟା, ମୋବାଇଲ୍ ଫୋନ୍ ସୁବିଧା ଏବଂ ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମସ୍ତ କର୍ମୀଙ୍କ ସମସ୍ୟା ଓ ପ୍ରସ୍ତାବକୁ ଗୁରୁତ୍ୱର ସହ ଶୁଣିଥିଲେ। ସେ କହିଥିଲେ ଯେ, ଅଙ୍ଗନୱାଡ଼ି କର୍ମୀମାନେ ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସେମାନଙ୍କ ସମସ୍ୟାର ଶୀଘ୍ର ଓ ଯଥାଯଥ ସମାଧାନ ପାଇଁ ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶ୍ୱାସନ ଦେଇଥିଲେ। ସେହିପରି ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରସଙ୍ଗକୁ ପ୍ରାଥମିକତାର ସହ ବିଚାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମୟୋପଯୋଗୀ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକ ମାଧ୍ୟମରେ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମୀମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
What's Your Reaction?