ପେଣ୍ଟା ଗ୍ରାମ ପଞ୍ଚାୟତ ତାମ୍ପରଗୁଡା ଗାଁର ସାର୍ବଜନୀନ ମଶାଣି ଜମିରେ ଅବୈଧ ହସ୍ତକ୍ଷେପ ମୌଳିକ ମାନବାଧିକାର ଓ ସାର୍ବଜନୀନ ଆଇନ ଉଲ୍ଲଂଘନର ଗମ୍ଭୀର ଅଭିଯୋଗ
ରାୟଗଡ଼ା:୨୫/୦୧ (ଷ୍ଟାର ନିୟୁଜ ଓଡିଶା )ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପେଣ୍ଟା ଗ୍ରାମ ପଞ୍ଚାୟତର ତାମ୍ପରଗୁଡା ଗାଁର ସାର୍ବଜନୀନ ମଶାଣି (ଶ୍ମଶାନ) ଜମିକୁ କେନ୍ଦ୍ର କରି ଗମ୍ଭୀର ଆଇନି ଓ ସାମାଜିକ ବିବାଦ ସୃଷ୍ଟି ହୋଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ପାରମ୍ପରିକ ଓ ସରକାରୀ ମଶାଣି ଜମି ଉପରେ କିଛି ବ୍ୟକ୍ତି ଅବୈଧ ଭାବେ ମାଟି ଭର୍ତ୍ତି, ସୀମା ଚିହ୍ନଟ ଓ ଜବରଦଖଲ କରିବାର ପ୍ରୟାସ ଚାଲୁ ରଖିଛନ୍ତି, ଯାହା ସାର୍ବଜନୀନ ଉପଯୋଗର ଜମି ଉପରେ ଖୋଲା ଉଲ୍ଲଂଘନ ଭାବେ ଗଣ୍ୟ।
ଆଇନ ଅନୁଯାୟୀ, ମଶାଣି ଜମି ଗ୍ରାମ ସମୁଦାୟର ସାଧାରଣ ସମ୍ପତ୍ତି ଭାବେ ସ୍ୱୀକୃତ ଏବଂ ଓଡ଼ିଶା ଜମି ରେଭେନ୍ୟୁ ଆଇନ, ଓଡ଼ିଶା ପଞ୍ଚାୟତ ରାଜ ଆଇନ ସହିତ ଭାରତୀୟ ସଂବିଧାନର ଧାରା ୨୧ (ମର୍ଯ୍ୟାଦା ସହିତ ଜୀବନ ଓ ମୃତ୍ୟୁର ଅଧିକାର) ଅଧୀନରେ ସୁରକ୍ଷିତ। ମଶାଣି ଉପରେ ଅବରୋଧ କିମ୍ବା ଦଖଲ କରାଯିବା ମାନେ ସାଧାରଣ ଲୋକଙ୍କର ମୃତଦେହ ସଂସ୍କାର କରିବାର ମୌଳିକ ଅଧିକାରକୁ ସିଧାସଳଖ ଭାବେ ବାଧା ଦେବା, ଯାହା ଆଇନସମ୍ମତ ଭାବେ ଗୁରୁତର ଅପରାଧ।
ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ, ମଶାଣିକୁ ଯାଇଥିବା ପାରମ୍ପରିକ ସାର୍ବଜନୀନ ରାସ୍ତାକୁ ମଧ୍ୟ ଅବୈଧ ଭାବେ ଅଟକାଯାଇଛି, ଯାହା ଫଳରେ ମୃତ୍ୟୁ ସମୟରେ ଶେଷ କ୍ରିୟାକଳାପ କରିବାରେ ଗାଁବାସୀ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରକାର କାର୍ଯ୍ୟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୧ (ଅବୈଧ ଅଟକ), ୪୨୫ (ସାର୍ବଜନୀନ ସମ୍ପତ୍ତି କ୍ଷତି) ଓ ୨୬୮ (ସାର୍ବଜନୀନ ଉପଦ୍ରବ) ଅନୁଯାୟୀ ଦଣ୍ଡନୀୟ ଅପରାଧ।
ତାମ୍ପରଗୁଡା ଗ୍ରାମବାସୀମାନେ ଲିଖିତ ଭାବେ ଜଣାଇଛନ୍ତି ଯେ, ଉକ୍ତ ମଶାଣି ଭୂମି ଏକ ସରକାରୀ ଜମି ହେଉଥିବା ସତ୍ତ୍ୱେ, ଶ୍ରୀକ୍ଷେତ୍ର ଡୁଡୁଲା ଶ୍ରୀନିବାସ ରାଓ ନାମକ ବ୍ୟକ୍ତି ଏହାକୁ ଜବରଦଖଲ କରି ନିଜସ୍ୱ ମନ୍ଦିର ନିର୍ମାଣ କାର୍ଯ୍ୟ କରୁଛନ୍ତି। ସେତିକି ନୁହେଁ, ସେଇ ରାସ୍ତା ଦେଇ କେହି ନଦୀକୁ ଯାଉଥିଲେ ସେମାନଙ୍କୁ ଯିବା-ଆସିବାରେ ବାଧା ଦେଉଥିବା ସହ ନଦୀରେ ଅବୈଧ ଭାବେ ଏଡି ବନ୍ଧ ମଧ୍ୟ ନିର୍ମାଣ କରିଥିବା ଅଭିଯୋଗ ରହିଛି, ଯାହା ଜଳସମ୍ପଦ ଓ ପରିବେଶ ଆଇନର ମଧ୍ୟ ଗମ୍ଭୀର ଉଲ୍ଲଂଘନ।
ଗ୍ରାମବାସୀମାନେ କହିଛନ୍ତି, ଏହି ଅବୈଧ କାର୍ଯ୍ୟ ବିରୋଧରେ ପ୍ରତିବାଦ କଲେ ସଂପୃକ୍ତ ବ୍ୟକ୍ତି “ସରକାର ଠାରୁ ଅନୁମତି ଆଣିଛି” ବୋଲି ଦାବି କରୁଥିବା ସତ୍ତ୍ୱେ, ଏହା ସମ୍ପର୍କରେ କୌଣସି ଲିଖିତ ଅନୁମତିପତ୍ର ସାଧାରଣ ଲୋକଙ୍କୁ ଦେଖାଯାଇନାହିଁ।
ଏଣୁ ତାମ୍ପରଗୁଡା ଗ୍ରାମବାସୀମାନେ ପେଣ୍ଟା ଗ୍ରାମ ପଞ୍ଚାୟତ, ସଂପୃକ୍ତ ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ତତ୍କାଳ ହସ୍ତକ୍ଷେପ କରି ଉକ୍ତ ଅବୈଧ କାର୍ଯ୍ୟକୁ ବନ୍ଦ କରାଯାଉ, ମଶାଣି ଜମିର ସୀମା ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରାଯାଉ ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାନୁନୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗ୍ରାମବାସୀଙ୍କୁ ନ୍ୟାୟ ଦିଆଯାଉ।
ଆଇନ ଜ୍ଞାନୀମାନଙ୍କ ମତାନୁସାରେ, ପ୍ରଶାସନ ଯଦି ସମୟରେ ପଦକ୍ଷେପ ନେଉନାହିଁ, ତେବେ ଏହି ମାମଲା ଗୁରୁତର ମାନବାଧିକାର ଉଲ୍ଲଂଘନ ଭାବେ ରାଜ୍ୟ ମାନବାଧିକାର ଆୟୋଗ କିମ୍ବା ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ହୋଇପାରେ।
ତୀର୍ଥ ସୁନାନୀଜିଲ୍ଲା ପ୍ରତିନିଧି, ରାୟଗଡ଼ାଷ୍ଟାର ନିୟୁଜ ଓଡ଼ିଶା
What's Your Reaction?