ରାଇଘର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ କୁ ମହିଳା ସଂଗଠନ ର ବିରୋଧ,ଉଚିତ ପଦକ୍ଷେପ ଗ୍ରହଣ ନ କଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ।

ରାଇଘର,୨୩,l୪ (ଷ୍ଟାର ନିୟୁଜ ):ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳ ମତି ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଛତୁଆ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି l ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ସମସ୍ୟାର କୌଣସି ସମାଧାନ ନ କରି ପ୍ରଶାସନ ଓ ସରକାର ନୀରବ ରହିବା ଚର୍ଚ୍ଚାର ବିଷୟ ପାଲଟିଛି l ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକ ଠାରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଛତୁଆ ବଣ୍ଟନ ନିମନ୍ତେ ଗୋଟିଏ ଆଦର୍ଶ ସ୍ଵଂୟ ସହାୟକ ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯଇଛି l ମୋଟ ୩୧୩ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ମାତ୍ର ସ୍ଵଂୟ ସହାୟକ ଗୋଷ୍ଠୀ ଛତୁଆ ବଣ୍ଟନ କରୁଛନ୍ତି l ଗର୍ଭବତୀ, ପ୍ରସୂତି ଓ ଅପପୃଷ୍ଟିର ଶିକାର ହୋଇଥିବା ମହିଳା ଏବଂ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ର ବିକାଶ ପାଇଁ ସରକାର ଛତୁଆ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି l କିନ୍ତୁ କ୍ରମାଗତ ବଣ୍ଟନ ବ୍ୟବସ୍ଥା ଓ ନିମ୍ନ ମାନର ସାମଗ୍ରୀ ସମସ୍ୟାକୁ ନେଇ ମହିଳା ସଂଗଠନ, ଲୋକ ପ୍ରତିନିଧିଗଣ ଅଭିଯୋଗ କରି ଆସୁଥିବା ବେଳେ ଅଭିଯୋଗ ଉପରେ କୌଣସି ତଦନ୍ତ ହେଉନି l ଆଜି ପୁଣି ଥରେ ରାଇଘର ମହିଳା ସଂଗଠନ ନିମ୍ନ ମାନର ଛତୁଆ ବଣ୍ଟନ, ଛଅ ମାସ ତଳେ ପ୍ରମାଣ ସହ ପୋକ ହୋଇଥିବା ଛତୁଆ ଓ ଲଡୁ ବଣ୍ଟନ ତଥ୍ଯ ଦେବା ପରେ ମଧ୍ୟ ତଦନ୍ତ ନ କରିବା ଘଟଣା ଉପରେ ଅସନ୍ତୋଷ ପ୍ରକାଶ କରି ଗୋଷ୍ଠୀ ଉନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ବ୍ଲକ ରେ ସଠିକ୍ ସମୟରେ ବଣ୍ଟନ ନ ହେବା ସହ ସଲା ସୂତରା ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଭଳି ସଙ୍ଗୀନ ଅଭିଯୋଗ ହୋଇଛି l ଯଥା ଶୀଘ୍ର ସମସ୍ୟାର ତଦନ୍ତ କରାଯାଉ ନଚେତ୍ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସଂଗଠନ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ବିନା ଟେଣ୍ଡର ରେ ବର୍ଷ ବର୍ଷ ଧରି ଗୋଟିଏ ଆଦର୍ଶ ସ୍ୱୟଂ ସହାୟକ ଯୋଗାଣକାରୀ ସଂସ୍ଥାକୁ ବଣ୍ଟନ ଅନୁମତି ଦେବା ପଛରେ ଅନେକ ଗୁମର ରହିଥିବା ଚର୍ଚ୍ଚା ଜୋର ଧରିଛି l ଯେଉଁ ଲକ୍ଷ୍ୟ ନେ଼ଇ ସରକାର ଛତୁଆ ବଣ୍ଟନ କରୁଛନ୍ତି ଉପଯୁକ୍ତ ଖାଦ୍ୟ ପ୍ରସ୍ତୁତ ଓ ତଦାରଖ ନ ହେବା ଯୋଗୁଁ ଶିଶୁ ଓ ମହିଳା ମାନଙ୍କ ମଧ୍ୟରେ ଅପପୃଷ୍ଟି ବଢ଼ି ଚାଲିଛି l ଅପର ପକ୍ଷରେ ରାଇଘର ବ୍ଲକ ଠାରେ ଗୋଟିଏ ମାତ୍ର ଯୋଗାଣ କାରି ସଂସ୍ଥା ରହିଥିବା ବେଳେ ୩୧୩ କେନ୍ଦ୍ର କୁ ଯୋଗାଣ କରିବା ମଧ୍ୟ ନାନା ସମସ୍ୟା ଦେଖା ଦେଉଥିବା ଜଣା ପଡିଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






