ଖରିଫ ଋତୁ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜଳ ଯୋଗାଣ ଆରମ୍ଭ

Jul 11, 2026 - 21:17
 0  8
ଖରିଫ ଋତୁ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜଳ ଯୋଗାଣ ଆରମ୍ଭ

କଳାହାଣ୍ଡି, ୧୧.୦୭ (ଷ୍ଟାର ନିୟୁଜ ଓଡିଶା): ଆଗାମୀ ଖରିଫ ଚାଷକୁ ଦୃଷ୍ଟିରେ ରଖି ଆଜି ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜରୁ ଉଭୟ କେନାଲ ଓ ଉଠାଜଳସେଚନ ବ୍ୟବସ୍ଥା ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଣ ଆରମ୍ଭ କରାଯାଇଛି।
ଚଳିତ ବର୍ଷ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ବର୍ଷା ହୋଇନଥିବାରୁ ଚାଷୀମାନେ ତଳି କିଆରି ପ୍ରସ୍ତୁତିରେ ବାଧାର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆବଶ୍ୟକତା ପୂରଣ ପାଇଁ ଆଗୁଆ ଜଳ ଯୋଗାଣ ଆରମ୍ଭ କରାଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ୮ଟି ବ୍ଲକର ୫୦୧ଟି ଗ୍ରାମର ପ୍ରାୟ ୧ ଲକ୍ଷ ୧୮ ହଜାର ୯୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳୁଛି।
ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରରେ ଜଳସ୍ତର କମ୍ ରହିଛି। ବର୍ତ୍ତମାନ ଜଳଭଣ୍ଡାରରେ ୬୨୮.୪୮ ମିଟର ଜଳ ସଂରକ୍ଷିତ ଥିବାବେଳେ, ଗତ ବର୍ଷ ଏହି ସମୟରେ ଜଳସ୍ତର ୬୨୯.୦୪ ମିଟର ଥିଲା।
ଅନ୍ୟପକ୍ଷରେ, ଏଲ୍-ନିନୋ ପ୍ରଭାବ ଯୋଗୁଁ ଏପର୍ଯ୍ୟନ୍ତ ମୌସୁମୀ ବର୍ଷା ସନ୍ତୋଷଜନକ ହୋଇନାହିଁ। ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିନଥିଲେ କେନାଲ ଜଳ ଯୋଗାଣ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେନାଲ ଜଳ ଚାଷ ଜମିରେ ପହଞ୍ଚିବା ପରେ ଚାଷୀମାନେ ବ୍ୟାପକ ଭାବେ ଖରିଫ ଚାଷ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR