କେସିଙ୍ଗା ନିଶାନ ଏଫ୍‌ଏଲ୍‌ ବାର୍‌ ବିବାଦ: ଘଟଣାସ୍ଥଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

Jul 21, 2026 - 20:55
0 8
କେସିଙ୍ଗା ନିଶାନ ଏଫ୍‌ଏଲ୍‌ ବାର୍‌ ବିବାଦ: ଘଟଣାସ୍ଥଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

କେସିଙ୍ଗା, ୨୧l୭ (ଷ୍ଟାରନିୟୁଜ ଓଡ଼ିଶା): କେସିଙ୍ଗାରେ ପ୍ରସ୍ତାବିତ ନିଶାନ ଏଫ୍‌ଏଲ୍‌ ବାର୍‌ ଖୋଲିବାକୁ ନେଇ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ବିରୋଧ ମଧ୍ୟରେ ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ପ୍ରସ୍ତାବିତ ବାର୍‌ ସ୍ଥାନ ଯାଞ୍ଚ କରିବା ସହ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ତହସିଲଦାର, ଅବକାରୀ ବିଭାଗ (ଏକ୍ସାଇଜ୍) ଅଧିକାରୀ, କେସିଙ୍ଗା ବିଡ଼ିଓ, କେସିଙ୍ଗା ଏନେସି ନିର୍ବାହୀ ଅଧିକାରୀ ଓ କେସିଙ୍ଗା ପୋଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ଥାନୀୟ ଲୋକମାନେ ବାର୍‌ ଖୋଲାଗଲେ ଅଞ୍ଚଳର ସାମାଜିକ ପରିବେଶ ଉପରେ କୁପ୍ରଭାବ ପଡ଼ିବା, ଯୁବପିଢ଼ି ଓ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟିବାର ଆଶଙ୍କା ପ୍ରକାଶ କରିଥିଲେ।
ସର୍ବଦଳୀୟ ରାଜନୈତିକ ନେତୃବୃନ୍ଦ, କେସିଙ୍ଗା ସିଟିଜେନ୍ ଫୋରମ୍ ଓ ବିଭିନ୍ନ ମହିଳା ସଂଗଠନର ପ୍ରତିନିଧିମାନେ ମଧ୍ୟ ବାର୍‌ ଖୋଲିବାକୁ ଅନୁମତି ନ ଦେବା ପାଇଁ ପୁଣିଥରେ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ।
ଉପଜିଲ୍ଲାପାଳ କହିଥିଲେ ଯେ, ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱର ସହ ବିଚାର କରାଯିବ। ସମସ୍ତ ତଥ୍ୟ, ଆଇନଗତ ବ୍ୟବସ୍ଥା ଓ ଜନମତକୁ ଆଧାର କରି ପ୍ରଶାସନ ପକ୍ଷରୁ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, କେସିଙ୍ଗାରେ ନିଶାନ ଏଫ୍‌ଏଲ୍‌ ବାର୍‌ ସ୍ଥାପନକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦୀର୍ଘଦିନ ଧରି ଜାରି ରହିଛି। ଏହି ପ୍ରସଙ୍ଗ ବର୍ତ୍ତମାନ ସମଗ୍ର କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User