ଅଙ୍ଗନୱାଡ଼ି ପୋଷାକ ବଣ୍ଟନରେ ଅନିୟମିତତା ଅଭିଯୋଗ ଏସ୍ଏଚ୍ଜି ମହିଳା ଗୋଷ୍ଠୀଙ୍କ ଜୀବିକା ପ୍ରଭାବିତ ହେବା ନେଇ ଅଭିଯୋଗ
କଳାହାଣ୍ଡି, ୨୩/୦୮ (ଷ୍ଟାରନିୟୁଜ ଓଡ଼ିଶା): ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁମାନଙ୍କ ପାଇଁ ପୋଷାକ ସିଲେଇ ଓ ବଣ୍ଟନ କାର୍ଯ୍ୟରେ ଏସ୍ଏଚ୍ଜି ମହିଳା ଗୋଷ୍ଠୀଙ୍କୁ ସୁଯୋଗ ଦେଇ ସେମାନଙ୍କ ଆୟବୃଦ୍ଧି ଓ ଜୀବିକା ସୁଦୃଢ଼ କରିବାର ବ୍ୟବସ୍ଥା ରହିଛି। ତେବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ସେକ୍ଟରରେ ଏହି ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ନେଇ ଜଣେ ଏସ୍ଏଚ୍ଜି ମହିଳା ଗୋଷ୍ଠୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, କାଣିଗୁମା ସେକ୍ଟର ଅଧୀନରେ ଥିବା ୨୪ଟି ଅଙ୍ଗନୱାଡ଼ି କେନ୍ଦ୍ରର ୬୫୭ ଜଣ ଶିଶୁଙ୍କ ପୋଷାକ ସିଲେଇ ଓ ବଣ୍ଟନ ଦାୟିତ୍ୱ କିଆପଦର ପଞ୍ଚାୟତ ବଣ୍ଡେଲଗୁଡ଼ାର ଏକ ଏସ୍ଏଚ୍ଜି ମହିଳା ଗୋଷ୍ଠୀକୁ ଦିଆଯାଇଥିଲା। ଏହାଦ୍ୱାରା ଗୋଷ୍ଠୀର ମହିଳାମାନେ ରୋଜଗାର ପାଇବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାର ଆଶା ରଖିଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ଭଟାଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସରୋଜିନୀ ନାଏକ ନିଜେ ପୋଷାକ ବଣ୍ଟନ କରିଥିବା ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ଫଳରେ ଏସ୍ଏଚ୍ଜି ମହିଳା ଗୋଷ୍ଠୀର ଆୟ ସୁଯୋଗ ହାତଛଡ଼ା ହେବା ସହ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଦାବି କରିଛନ୍ତି।
ଏନେଇ ଶନିବାର ସକାଳ ପ୍ରାୟ ୧୧ଟା ସମୟରେ ଏସ୍ଏଚ୍ଜି ମହିଳାମାନେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖି ଘଟଣାର ତଦନ୍ତ ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ସରକାରୀ ବ୍ୟବସ୍ଥା ଅନୁଯାୟୀ ଦାୟିତ୍ୱ ମିଳିଥିବା ମହିଳା ଗୋଷ୍ଠୀକୁ ଅଣଦେଖା କରି ପୋଷାକ ବଣ୍ଟନ କରାଯାଇଥିବା ଅଭିଯୋଗର ସତ୍ୟତା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)