କର୍ଲାପାଟ ଅଭୟାରଣ୍ୟ ସ୍ଥିତ “ଜୀବନ ଜୀବିକା ସୁରକ୍ଷା ସଂଗଠନ” ର ଅଞ୍ଚଳସ୍ତରୀୟ ପ୍ରଥମ ବୈଠକ

May 28, 2026 - 11:20
 0  13
କର୍ଲାପାଟ ଅଭୟାରଣ୍ୟ ସ୍ଥିତ “ଜୀବନ ଜୀବିକା ସୁରକ୍ଷା ସଂଗଠନ” ର ଅଞ୍ଚଳସ୍ତରୀୟ ପ୍ରଥମ ବୈଠକ

କଳାହାଣ୍ଡି, ତା. ୨୭/୦୫ (ଷ୍ଟାର ନ୍ୟୁଜ ଓଡିଶା) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ଠାରେ କିଆପଦର ସରପଞ୍ଚଙ୍କ ଆହ୍ୱାନରେ ଜଙ୍ଗଲ ଅଧିକାର ଆଇନ–୨୦୦୬ କୁ ଆଧାର କରି “ଜୀବନ ଜୀବିକା ସୁରକ୍ଷା ସଂଗଠନ” ର ପ୍ରଥମ ଅଞ୍ଚଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଭୁକ୍ତ ଥୁଆମୂଲ ରାମପୁର ବ୍ଲକର କର୍ଲାପାଟ ଓ କିଆପଦର ପଞ୍ଚାୟତ, ଜୁନାଗଡ଼ ବ୍ଲକର ଦେଦର ଓ ଦୁନ୍ଦେଲମାଲ ପଞ୍ଚାୟତ ସହିତ ଭବାନୀପାଟଣା ବ୍ଲକର ଶଗଡା, ଚାଞ୍ଚେର ଓ ଯୁଗସାଏପାଟଣା ପଞ୍ଚାୟତର ୧୮ଟି ଗାଁର ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଓ ପାରମ୍ପରିକ ବନବାସୀ ମହିଳା ଏବଂ ପୁରୁଷମାନେ ଏକତ୍ରିତ ହୋଇଥିଲେ। ଏହି ବୈଠକରେ ଏକ ହଜାରରୁ ଅଧିକ ଲୋକ ଯୋଗଦେଇ ଜୀବନ ଓ ଜୀବିକାର ସୁରକ୍ଷା ନେଇ ଆଲୋଚନା କରିଥିଲେ।
କିଆପଦର ସରପଞ୍ଚ ଲଖିଧର ମାଝୀ ସମସ୍ତଙ୍କୁ ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ। ସେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ଯାଇ DFO ଓ ରେଞ୍ଜରଙ୍କୁ ନିଜ ହସ୍ତରେ ଅନୁରୋଧ ପତ୍ର ପ୍ରଦାନ କରିଥିବା ସତ୍ତ୍ୱେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ବୈଠକରେ ଉପସ୍ଥିତ ହୋଇନଥିବାରୁ ଉପସ୍ଥିତ ଲୋକ ଓ ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ।
ଶେଷରେ ଜଙ୍ଗଲ ବିଭାଗ ପକ୍ଷରୁ କର୍ଲାପାଟ ବିଟର ଜଣେ ଫରେଷ୍ଟ ଗାର୍ଡଙ୍କୁ ପ୍ରତିନିଧି ଭାବେ ପଠାଯାଇଥିଲା। କିନ୍ତୁ ସେ କୌଣସି ନିଷ୍ପତ୍ତି ନେବାର ଅଧିକାର ନଥିବାରୁ ଅନେକ ପ୍ରଶ୍ନରେ ନିରୁତ୍ତର ରହିଥିଲେ।
ବୈଠକରେ ଉପସ୍ଥିତ ଆଦିବାସୀ, ପାରମ୍ପରିକ ବନବାସୀ ଓ ଅତିଥିମାନେ ଗତ ମାସର ତେନ୍ତୁଳିପଦର ଘଟଣାରେ ମୂଳ ନିବାସୀ ଆଦିବାସୀଙ୍କ ଉପରେ ହୋଇଥିବା ମାଡ଼ ଓ ଜୋତାମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।
ଏହି ବୈଠକରେ ଥୁଆମୂଲ ରାମପୁର ବ୍ଲକ ଆଦିବାସୀ ସଂଘ ସଭାପତି ସନାତନ ମାଝୀ, ଜମା ମାଝୀ, ରାମଚନ୍ଦ୍ର ମାଝୀ, ପ୍ରଦାନ ସଂସ୍ଥାର ବ୍ରଜକିଶୋର ଦାସ, ବିଜୟ ମାଝୀ, କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, କିଆପଦର ସରପଞ୍ଚ ଲଖିଧର ମାଝୀ, କୃଷ୍ଣଚନ୍ଦ୍ର ଦଳେଇ, ରଞ୍ଜିତ ସିଂହ, ବଳରାମ ଦେଓ, ଗିରିଶ ନାଏକ, ସମାଜସେବୀ ସରୋଜ ବାଗ, ରବି ନାରାୟଣ ସିଂହ, କଳାହାଣ୍ଡିର ଆଇନଜୀବୀ ଅବଦୁଲ ସାଜିଦ, ଗୁଣପୁର ରାଜସ୍ୱ ନିରୀକ୍ଷକ ଅଞ୍ଜନ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଟୁନୀ ଖୋସଲା ଏବଂ କର୍ଲାପାଟ ଫରେଷ୍ଟ ଗାର୍ଡ ଉମାକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR