ଡରାଉଛି ମୋନ୍ଥା,ଚିନ୍ତାରେ ମକା ଓ ଧାନ ଚାଷୀ।
ଝରିଗାଁ,୨୮l୧୦(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ କିଛି ବର୍ଷ ହେଲା ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଷୀ ସମସ୍ୟାର ସମ୍ବୁଖିନ ହୋଇଥିବା ବେଳେ ଯେକୌଣସି ପ୍ରକାରେ ଚଳିତ ବର୍ଷ ଚାଷ କରିଥିଲେ।ତେବେ ବର୍ତ୍ତମାନ ଝରିଗାଁ ବ୍ଳକରେ ଶସ୍ୟ ଅମଳ କରି ଜମିରୁ ଘରକୁ ଆଣିବା ସମୟରେ ବାତ୍ୟା ମୋନ୍ଥା ସ୍ଥାନୀୟ ଚାଷୀଙ୍କୁ ଡରାଉଛି।ପ୍ରଶାସନ ପକ୍ଷରୁ ଚାଷୀଙ୍କ ଶସ୍ୟ ସୁରକ୍ଷିତ ରଖିବା ପାଇଁ କୌଣସି ସୁବିଧା ନଥିବା ବେଳେ ପ୍ରାୟ ଚାଷୀଙ୍କ ନିକଟରେ ଅମଳ ହୋଇଥିବା ଶସ୍ୟ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ସ୍ଥାନ ଅଭାବ ରହିଛି।ବାତ୍ୟା ମୋନ୍ଥା ଆସୁଥିବା ଯୋଗୁଁ ଅମଳ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ବ୍ୟତିବ୍ୟସ୍ତ ହେଉଛନ୍ତି।ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ରେଡ଼ ଜୋନରେ ରହିଥିବା ସହ ୨୭ ଓ ୨୮ ତାରିଖ ଦିନ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି।ଆଜି ଝରିଗାଁ ବ୍ଲକରେ ଦିନ ଦ୍ଵପ୍ରହର ଠାରୁ ପାଗ ପରିବର୍ତ୍ତନ ହେବା ସହ ହାଲୁକା ବର୍ଷା ଦେଖିବାକୁ ମିଳିଥିଲା।ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କିଛି ଚାଷୀ RMC ପରିସରରେ ଥିବା ପିଣ୍ଡି ଗୁଡିକରେ ମକା ସୁରକ୍ଷିତ ଭାବେ ରଖିଥିବା ଦେଖିବାକୁ ମିଳିଛି।ଆଉ କିଛି ଆର୍ଥିକ ସ୍ୱଚଳ ଥିବା ଚାଷୀ ଶସ୍ୟକୁ ନିଜ ଖଳାରେ ସୁରକ୍ଷିତ ରଖିବା ପାଇଁ ପଲିଥିନ ଯୋଗାଡ଼ କରୁଥିବା ବେଳେ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ବାତ୍ୟା ମୋନ୍ଥା ଚିନ୍ତାରେ ପକାଇ ଦେଇଛି।କ୍ଷୁଦ୍ର ଚାଷୀ ମାନେ ସ୍ଥାନ ଅଭାବ ଯୋଗୁଁ ଝରିଗାଁ ବ୍ଳକର ବିଭିନ୍ନ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ଵରେ ମକା ରଖୁଛନ୍ତି।ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି।ତେଣୁ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ମକା ଓ ଧାନ ସୁରକ୍ଷିତ ରଖିବା ପାଇଁ ପିଣ୍ଡି ନିର୍ମାଣ ପାଇଁ ଦାବି ହୋଇଛି।ବର୍ଷାରେ ମକା ଭିଜିଲେ ସଡ଼ି ଯିବା, ଗଜା ହେବା ସହ ରଙ୍ଗ ପରିବର୍ତ୍ତନ ହେବ ଏବଂ ମକାର ଗୁଣବତ୍ତା କମିଯିବ।ଉକ୍ତ ମକା ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହେବ ନାହିଁ ବୋଲି ଚାଷୀ ଚିନ୍ତାରେ ପଡିଛନ୍ତି।ଜମିରେ ଥିବା ମକା ମଧ୍ୟ ବର୍ଷା ପାଣିରେ ଗଜା ହୋଇ ନଷ୍ଟ ହେବା ଆଶଙ୍କା ରହିଛି।ସେହିପରି ଜମିରେ ଥିବା ଧାନ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି।ବର୍ଷା ସହ ପବନ ହେଲେ ଧାନ ଗଛ ଗୁଡିକ ଢଳି ପଡି ଜମିରେ ପାଣି ସହ ଲାଗି ରହିବ। ସେହି ଧାନ ଗଜା ହେବାର ଆଶଙ୍କା ଦେଖାଦେଇଛି।ବିଶେଷ କରି ଅମଳ ହୋଇ ଥିବା ମକା ଅଧିକ ମାତ୍ରାରେ କ୍ଷତି ହେବାର ସମ୍ଭାବନା ଥିବା ଯୋଗୁଁ ଫସଲ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ରରେ ଚାଷୀ ମାନଙ୍କୁ ସଚେତନତା କରାଯାଉଛି।ସେହିପରି ଚାଷୀ ମାନଙ୍କୁ ବାତ୍ୟା ସମୟରେ ଜମିରୁ ଅମଳ ନକରିବା ପାଇଁ ଝରିଗାଁ କୃଷି ବିଭାଗ ପକ୍ଷରୁ କୁହାଯାଉଛି।ଯେଉଁ ଚାଷୀ ମାନେ ଧାର ଉଧାର କରି ଚାଷ କରିଛନ୍ତି ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି।ଝରିଗାଁ କୃଷି ଅଧିକାରୀ ସୁନିତା ସିଂଙ୍କ ସୂଚନା ପ୍ରକାରେ ଚଳିତ ବର୍ଷ ଝରିଗାଁ ବ୍ଲକରେ ୮୯୮୮ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୭୧୯ ହେକ୍ଟର ଜମିର ଧାନ ଅମଳ ହୋଇ ସାରିଛି।ସେହିପରି ୭୬୧୩ ହେକ୍ଟର ଜମିରେ ମକା ଚାଷ ହୋଇଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଚାଷୀ ମକା ଜମିରୁ ଅମଳ କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?