ଶୋଚନୀୟ ଅବସ୍ଥାରେ ଖଇରିପେଟ୍ ରାସ୍ତା ଓ ପୋଲ ବିହୀନ ନଦୀ, ଯାତାୟତରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ୯ ଖଣ୍ଡ ଗାଁ ଲୋକେ।

ଝରିଗାଁ,୩୧l୭ (ଷ୍ଟାର ନିୟୁଜ ଓଡିଶା) : ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧିରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲେ ସୁଦ୍ଧା ଏବେ ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ୯ଖଣ୍ଡ ଗାଁ ସମେତ ଶରତ ପଡ଼ା ବାସୀ। ବାରମ୍ବାର ପ୍ରଶାସନ ନିକଟରେ ଦୀର୍ଘ ଦିନରୁ ଦାବି ସତ୍ତ୍ୱେ ସୁଗମ ଗମନାଗମନ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ। ଝରିଗାଁ ବ୍ଲକ ଗୁଋଷୀଙ୍ଗା ପଞ୍ଚାୟତ ଏବଂ ଝରିଗାଁ ପଞ୍ଚାୟତ ଅନ୍ତର୍ଭୁକ୍ତ ୯ ଖଣ୍ଡ ଗାଁ ଲୋକେ ଯାତାୟତରେ ଯମଯନ୍ତ୍ରଣା ଭୋଗୁଛନ୍ତି। ବାଞ୍ଜିଆମ୍ବା ଗ୍ରାମ ଠାରୁ ସାପଗନ୍ଦା, ଯିତ୍ରୁସାହି,ମଇନା ପଦର, ଢ଼ଡକା ଝରନ୍,ନୂଆଁ ଗାଁ,ଶରତ ପଡ଼ା,ଖଇରୀ ପେଟ, ମଲାଙ୍ଗ ପଡ଼ା,ଅସୁର ପକନା ଗ୍ରାମ ବାସୀ ପ୍ରାୟ ୧୦ କିମି ଲମ୍ବ ଖଇରୀ ପେଟ ରାସ୍ତା ଉପରେ ନିର୍ଭର କରି ଆସୁଛନ୍ତି। ସେହିପରି ଏହି ରାସ୍ତା ରେ ରହିଛି ପୋଲ ବିହୀନ ତେଲନଦୀରେ ସଂଯୋଗ ହୋଇଥିବା ଶାଖାନଦୀ। ବର୍ଷାଋତୁ ଆସିଲେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ। ରାସ୍ତାର ଅବସ୍ଥା ଗୁରୁତର ଖରାପ ହୋଇଥିବା ଦେଖିବାକୁ ମିଳୁଛି। ମାଟି ରାସ୍ତା ହୋଇଥିବାରୁ ପରସ୍ତ ପରସ୍ତ କାଦୁଅ, ଛୋଟ ବଡ଼ ଖାଲ ଖାଲରେ ଜମା ରହୁଛି ବର୍ଷା ପାଣି। ପାଦରେ ଚାଲିଲେ ପଡ଼ିଯିବା ସମ୍ଭାବନା ରହିଛି। ସ୍କୁଲ ପିଲା,ଗୁରୁତର ରୋଗୀ,ଗର୍ଭବତୀ ମହିଳାଙ୍କ ପାଇଁ ଯାତାୟତରେ ସମସ୍ୟା ହେଉଛି। ଶରତ ପଡ଼ା ଗାଁ ପରେ ରହିଛି ଶାଖା ନଦୀ। ନଦୀ ଉପରେ ବ୍ରିଜ୍ ନଥିବାରୁ ଲୋକଙ୍କୁ ଛାତିଏ ଓ ଆଣ୍ଠୁଏ ପାଣିରେ ବୁଡି ମଦାଙ୍ଗ ପଡ଼ା ,ଚାଉଁରି କାଣ୍ଡସର୍ ଗ୍ରାମକୁ ଯିବାକୁ ପଡୁଛି ଲୋକଙ୍କୁ। ଗ୍ରାମବାସୀଙ୍କ କହିବା ପ୍ରକାରେ ଗତ ସରକାରରେ ନୂତନ ପକ୍କା ରାସ୍ତା ନିର୍ମାଣ ଏବଂ ପୋଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅଂଚଳର ରାସ୍ତା ଓ ନଦୀ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ଗ୍ରାମବାସୀଙ୍କ ଗମନାଗମନ ଭଳି ମୌଳିକ ସୁବିଧା କରିବାକୁ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶତାଧିକ ଲୋକଙ୍କ ଯାତାୟାତରେ ମାଟି ରାସ୍ତା ଏବଂ ନଦୀ ରହିଥିବାରୁ ବର୍ଷା ଋତୁ ଆସିଲେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୯ ଖଣ୍ଡ ଗାଁର ଶତାଧିକ ପରିବାର। ନଦୀ ଜଳସ୍ତର ଉର୍ଦ୍ଧରେ ପୁଣି ପାଣି ସ୍ରୋତ ପ୍ରଖର ରହୁଥିବାରୁ ନଦୀ ଲଂଘିବା ବେଳେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ବ୍ଲକ ସଦର ମହକୁମା ଠାରୁ ୧୦ କିମି ଦୂରରେ ରହିଛି ଏହି ଗାଁ ଗୁଡ଼ିକ। ଅଥଚ ଏହି ମୌଳିକ ସମସ୍ୟାକୁ ଗୁରୁତର ସହ ପ୍ରଶାସନ ବିଚାରକୁ ନେଉନଥିବା ଅଭିଯୋଗ କରିଛନ୍ତି ଗାଁର ପ୍ରମୁଖ ବାସିନ୍ଦା ମଧ୍ୟରେ ଅର୍ଜୁନ ସାନ୍ତା ୧୦ ନଂ ୱାର୍ଡର ୱାର୍ଡ ମେମ୍ବର , ଇନ୍ଦ୍ର ଧରୁ ୧୨ ନଂ ୱାର୍ଡର ୱାର୍ଡ ମେମ୍ବର,କେଶବ ମାଝୀ,କୃଷ୍ଣ ମାଝୀ,ମହେନ୍ଦ୍ର ମାଝୀ,ନନ୍ଦ ଗୌଡ଼,ଅଭିରାମ ମାଝୀ, ତିଆରୁ କମାର,ମଧୁ ପଟ୍ଟା,ଶିବରାମ ପଟ୍ଟା,ଅଭିରାମ ଧରୁଆ,ଲାଲୁ ଦଳେଇ, ମନୋଜ ଦାସ,ତପନ ଧରୁଆ ଆଦି । ତୁରନ୍ତ ରାସ୍ତା ନିର୍ମାଣ ସାଙ୍ଗକୁ ନଦୀ ଉପରେ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






