ବୃହତକାୟ ପିପଳ ଗଛର ଡାଳ ଭାଙ୍ଗି NH-26 ଉପରେ ପଡ଼ିଲା, ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା
କେସିଙ୍ଗା, ୧୨l୦୬ (ଷ୍ଟାର ନ୍ୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ମୁଖ୍ୟ ରାସ୍ତା ଜାତୀୟ ରାଜପଥ NH-26 ର ଆମ୍ବେଦକର ଛକ ନିକଟରେ ଥିବା ଏକ ବୃହତକାୟ ପିପଳ ବୃକ୍ଷର ବଡ଼ ଗଣ୍ଡି (ଡାଳ) ଗୁରୁବାର ପ୍ରଭାତ ପ୍ରାୟ ୩ଟା ସମୟରେ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଜଣାପଡ଼ିଛି। ଘଟଣା ସମୟରେ ରାସ୍ତାରେ ଲୋକଙ୍କ ଚଳାଚଳ କମ୍ ଥିବାରୁ କୌଣସି ଜୀବନହାନି କିମ୍ବା ଆହତ ଘଟିନଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ଗଛ ତଳେ ପ୍ରତିଦିନ ସକାଳ ସମୟରେ ଅନେକ ଛୋଟ ଦୋକାନୀ ବ୍ୟବସାୟ କରିବା ସହିତ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଠିଆ ହୋଇ ରହୁଥାନ୍ତି। ଯଦି ଏହି ବିଶାଳ ଡାଳଟି ସକାଳର ବ୍ୟସ୍ତ ସମୟରେ ପଡ଼ିଥାନ୍ତା, ତେବେ ବଡ଼ ଧରଣର ଦୁର୍ଘଟଣା ଘଟି ଜୀବନହାନି ହେବାର ଆଶଙ୍କା ଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗି ପଡ଼ିଥିବା ଡାଳକୁ ହଟାଇ ରାସ୍ତାକୁ ସଫା କରିଥିଲେ। ଫଳରେ କିଛି ସମୟ ପାଇଁ ବାଧାପ୍ରାପ୍ତ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଏହି ଘଟଣା ପରେ ସହରରେ ଥିବା ଅନ୍ୟ ପୁରୁଣା ଓ ବିପଦସଙ୍କୁଳ ବୃକ୍ଷଗୁଡ଼ିକର ସୁରକ୍ଷା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)