ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍: ସୁପରିକଳ୍ପିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ଗୁରୁ ସହ ୫ ଗିରଫ

Mar 14, 2026 - 22:06
 0  23
ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍: ସୁପରିକଳ୍ପିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ଗୁରୁ ସହ ୫ ଗିରଫ

ଥୁଆମୂଳ ରାମପୁର, ୧୪/୦୩( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପ ଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ୍ ଘଟଣାରେ ପୋଲିସ ବଡ଼ ସଫଳତା ପାଇଛି। ଏହି ସମ୍ବେଦନଶୀଳ ମାମଲାରେ କଲମପୁର ଥାନା ଦେପୁର ଗ୍ରାମର ଇଶାନ ଟେଣ୍ଟକାରୀଙ୍କୁ ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରିବା ସହ ତାଙ୍କର ୪ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର ପରିସରରେ ପ୍ରାଚୀନ ସମ୍ପତ୍ତି ଥିବା ନେଇ ଇଶାନ ଟେଣ୍ଟକାରୀ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇଥିଲେ। ଏହି ଗୁପ୍ତ ସମ୍ପତ୍ତି ହାତେଇବା ପାଇଁ ସେ ଏକ ସୁଚିନ୍ତିତ ପ୍ଲାନ୍ ପ୍ରସ୍ତୁତ କରିଥିଲେ। ସେ ଥୁଆମୂଳ ରାମପୁର ଅଞ୍ଚଳର କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ ଏକଜୁଟ କରି ମନ୍ଦିରରୁ ବହୁମୂଲ୍ୟ ସମ୍ପତ୍ତି ଲୁଟି ନେବାରେ ସଫଳ ହୋଇଥିଲେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମୁଖ୍ୟ ଭାବେ ଇଶାନ ଟେଣ୍ଟକାରୀ (୩୯), ସ୍ୱର୍ଗତ ଅଚ୍ୟୁତାନନ୍ଦ ଟେଣ୍ଟକାରୀଙ୍କ ପୁଅ, ଦେପୁର ଗ୍ରାମର ଅଟନ୍ତି। ଏହାସହ ରିତେଶ ଧ. ମାଝୀ ଓରଫ ପିଚୁଡ଼ (୨୧), ପିତା ଦିଲ୍ଲୀପ ଧ. ମାଝୀ, ତାଳବନ୍ଧପଡ଼ାର ଅଟନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ରୋଶନ ବିଶି ଓରଫ ସତ୍ୟମ (୨୨), ପିତା ସନ୍ତୋଷ ବିଶି, ଥୁଆମୂଳ ରାମପୁର ଶିବ ମନ୍ଦିର ପଡ଼ାର; ଚନ୍ଦ୍ର ନାୟକ (୪୦), ପିତା ଯାଦୁ ନାୟକ, ଡ଼ାକକୋଟା ଗ୍ରାମର ଏବଂ ନବ କୁମାର ନାୟକ (୩୪), ପିତା ବିରସିଂ ନାୟକ, ଗୋପାଳପୁର ଗ୍ରାମର ରହିଛନ୍ତି। ଥୁଆମୂଳ ରାମପୁର ପୋଲିସ ମାମଲା ନମ୍ବର ୧୦/୨୬ ଅନୁଯାୟୀ BNS ର ବିଭିନ୍ନ କଠୋର ଧାରା ଲଗାଇ ଏହି ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଲୁଟ୍ ହୋଇଥିବା ପ୍ରାଚୀନ ସମ୍ପତ୍ତି କେଉଁଠାରେ ଅଛି, ତାହା ପୋଲିସ ଏପର୍ଯ୍ୟନ୍ତ ଜବତ କରିପାରି ନାହିଁ। ତଦନ୍ତକାରୀ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ କହିବା ଅନୁସାରେ, ଏହି ଘଟଣାରେ ଆହୁରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ତେଣୁ, ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି। ମନ୍ଦିରର ଏହି ମୂଲ୍ୟବାନ ସମ୍ପତ୍ତି କେବେ ଉଦ୍ଧାର ହେବ ଏବଂ ପ୍ରକୃତ ଷଡ଼ଯନ୍ତ୍ରକାରୀମାନେ କେବେ ଆଇନର କାଠଗଡ଼ାରେ ଠିଆ ହେବେ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR