ସେୟାର ମାର୍କେଟରେ ଲାଭର ଲୋଭ – ସିମେଣ୍ଟ ବ୍ୟବସାୟୀଙ୍କୁ ୨ କୋଟି ଟଙ୍କାର ଠକେଇ

Mar 14, 2026 - 21:56
0 42
ସେୟାର ମାର୍କେଟରେ ଲାଭର ଲୋଭ – ସିମେଣ୍ଟ ବ୍ୟବସାୟୀଙ୍କୁ ୨ କୋଟି ଟଙ୍କାର ଠକେଇ

କଳାହାଣ୍ଡି ଜିଲ୍ଲା  ୧୪/୦୩ ( ଷ୍ଟାର ନିୟୁଜ )ଓଡିଶା କେସିଙ୍ଗା ସହରରେ ଏକ ବଡ଼ ଆର୍ଥିକ ଠକେଇ ଘଟଣା ସାମ୍ନାକୁ ଆସିଛି। ସେୟାର ମାର୍କେଟରେ ଅଧିକ ଲାଭ ଦେବାର ଲୋଭ ଦେଖାଇ କେସିଙ୍ଗା ସହରର ସିମେଣ୍ଟ ବ୍ୟବସାୟୀ ନେମିଚାନ୍ଦ ଜୈନଙ୍କୁ ପ୍ରାୟ ଦୁଇ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁପଡା ଗ୍ରାମରେ ଅବସ୍ଥିତ ଦ୍ରୋଣାଚାର୍ଯ୍ୟ ଇଂଲିଶ ମିଡ଼ିଅମ ସ୍କୁଲର ପ୍ରିନ୍ସିପାଲ ଅର୍ଚନା ଅଗ୍ରୱାଲଙ୍କ ସମେତ କିଛି ଅନ୍ୟ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ପ୍ରାପ୍ତ ସୂଚନା ଅନୁସାରେ, କେସିଙ୍ଗା ସହରର ବ୍ୟବସାୟୀ ନେମିଚାନ୍ଦ ଜୈନଙ୍କୁ ପ୍ରଥମେ ଏକ ଟେଲିଗ୍ରାମ ଗ୍ରୁପ ମାଧ୍ୟମରେ ସଂପର୍କ କରାଯାଇଥିଲା। ସେଠାରେ ଥିବା କିଛି ବ୍ୟକ୍ତି ସେୟାର ମାର୍କେଟରେ ଟଙ୍କା ଲଗାଇଲେ ଅତ୍ୟଧିକ ଲାଭ ମିଳିବ ବୋଲି ନେମିଚାନ୍ଦ ଜୈନଙ୍କୁ ବୁଝାଇଥିଲେ। ପ୍ରଥମେ ତାଙ୍କୁ ଏକ ଲକ୍ଷ ଟଙ୍କା ନିବେଶ କରିବାକୁ କହାଯାଇଥିଲା ଏବଂ ଏକ ଦିନ ମଧ୍ୟରେ ତାଙ୍କ ଖାତାରେ ୧ ଲକ୍ଷ ୩୦ ହଜାର ଟଙ୍କା ଫେରତ ଦିଆଯାଇଥିଲା।
ଏହା ଦେଖି ନେମିଚାନ୍ଦ ଜୈନଙ୍କର ବିଶ୍ୱାସ ବଢ଼ିଥିଲା ଏବଂ ସେ ଏହି ଗୋଷ୍ଠୀ ଉପରେ ଆସ୍ଥା ରଖିଥିଲେ। ପରେ ଠକମାନେ ତାଙ୍କୁ ଆଉ ଏକ ନୂତନ ସ୍କିମ ଥିବା ବୋଲି କହିଥିଲେ। ସେହି ସ୍କିମରେ ୨ କୋଟି ଟଙ୍କା ଲଗାଇଲେ ୨ କୋଟି ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ ବୋଲି ଲୋଭ ଦେଖାଯାଇଥିଲା।
ନେମିଚାନ୍ଦ ଜୈନ ଏତେ ବଡ଼ ରାଶିର ଟଙ୍କା ଅନଲାଇନରେ ଦେବାକୁ ମନା କରିଥିଲେ। ପରେ ଏହି ବିଷୟରେ ସେ କେସିଙ୍ଗା ସହରର ଅର୍ଚନା ଅଗ୍ରୱାଲଙ୍କ ସହ କଥା ହୋଇଥିଲେ। ଅର୍ଚନା ଅଗ୍ରୱାଲ ତାଙ୍କୁ ଭରସା ଦେଇ “ମୋ ଉପରେ ବିଶ୍ୱାସ କର, କିଛି ସମସ୍ୟା ହେବ ନାହିଁ” ବୋଲି କହି ଟଙ୍କା ଦେବାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି।
ଏହାପରେ ନେମିଚାନ୍ଦ ଜୈନଙ୍କୁ ଛତିଶଗଡ଼ର ରାଏପୁର ସହରକୁ ଡକାଯାଇଥିଲା। ସେଠାରେ ଅର୍ଚନା ଅଗ୍ରୱାଲଙ୍କ ସହ ଭେଟିବା ପରେ ତାଙ୍କ କହିବା ଅନୁସାରେ ଦୁଇଜଣ ବ୍ୟକ୍ତିଙ୍କୁ ୨ କୋଟି ଟଙ୍କା କେଶ ଭାବେ ଦିଆଯାଇଥିଲା। କିନ୍ତୁ ଟଙ୍କା ଦେବା ପରେ ଗୋଟିଏ ଦିନ ମଧ୍ୟରେ ସେମାନଙ୍କ ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଫୋନ ନମ୍ବର ମଧ୍ୟ ଲାଗୁନଥିଲା ଏବଂ କୌଣସି ଲୋକଙ୍କ ଖୋଜ ମିଳୁନଥିଲା।
ଏହାପରେ ନେମିଚାନ୍ଦ ଜୈନ ନିଜକୁ ଠକେଇର ଶିକାର ହୋଇଥିବା ବୁଝି ରାଏପୁର ସହରର ଦେବେନ୍ଦ୍ର ନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ରାଏପୁର ପୋଲିସ ଅର୍ଚନା ଅଗ୍ରୱାଲଙ୍କ ସହ ସୁମିତ ନନ୍ଦ, ବିକାଶ ସାହୁ, ଅଜୟ ତ୍ରିପାଠୀ ଓ ଅଜିତ ପାତ୍ରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ପୋଲିସ ତଦନ୍ତ ପାଇଁ କେସିଙ୍ଗା ସହର ଓ କେନ୍ଦୁପଡା ଗ୍ରାମରେ ଥିବା ଦ୍ରୋଣାଚାର୍ଯ୍ୟ ସ୍କୁଲକୁ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ସେତେବେଳେ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଥିଲା। ପରେ ଏହି ମାମଲାରେ ଅର୍ଚନା ଅଗ୍ରୱାଲ ଜାମିନରେ ବାହାରିଥିବା ସୂଚନା ମଧ୍ୟ ମିଳିଛି।
ଏହି ଘଟଣାର ଆଉ ଏକ ରୋଚକ ପ୍ରସଙ୍ଗ ହେଲା, ନେମିଚାନ୍ଦ ଜୈନ ଓ ଅର୍ଚନା ଅଗ୍ରୱାଲ ଦୁହେଁ କେସିଙ୍ଗା ସହରର ଓ ମାରୱାଡି ସମାଜର ସଦସ୍ୟ ହେବାରୁ ସମାଜର କିଛି ଲୋକ ମଧ୍ୟ ମଧ୍ୟସ୍ଥତା କରି ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର କୌଣସି ସମାଧାନ ହୋଇପାରିନଥିବା ଜଣାପଡିଛି।
ଏହି ବଡ଼ ଆର୍ଥିକ ଠକେଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User