ଲୁହା ନିଆଁ ସହ ସଂଗ୍ରାମ କରି ପରିବାରର ପେଟକୁ ଦାନା ଯୋଗାଡ଼ କରୁଛନ୍ତି ରାମକୃଷ୍ଣ।

Nov 21, 2025 - 17:48
 0  65
ଲୁହା ନିଆଁ ସହ ସଂଗ୍ରାମ କରି ପରିବାରର ପେଟକୁ ଦାନା ଯୋଗାଡ଼ କରୁଛନ୍ତି ରାମକୃଷ୍ଣ।

ଝରିଗାଁ,୨୧l୧୧(ଷ୍ଟାର ନିୟୁଜ ଓଡିଶା ): ପରିବାରର ସାତ ପ୍ରାଣୀଙ୍କ ଭରଣ ପୋଷଣର ବୋଝ ମୁଣ୍ଡାଇଥିବା ରାମକୃଷ୍ଣ କମାର ନିଆଁ ଓ ଲୁହା ସହ ସଂଗ୍ରାମ କରିବା କାର୍ଯ୍ୟକୁ ଏକମାତ୍ର କୌଳିକ ବୃତ୍ତି ରୂପେ ଆପଣେଇଛନ୍ତି । ଗରିବ ଖଟିଖିଆ ଦିନ ମଜୁରିଆ ହୋଇ ଜୀବନ ଜୀବିକା କରିବା ପରିବର୍ତ୍ତେ କମାର ବୃତ୍ତିକୁ ନେଇ କଠିନ ପରିଶ୍ରମ କରି ପେଟକୁ ଦାନା ଯୋଗାଡ଼ କରୁଛନ୍ତି ରାମ। ରାମକୃଷ୍ଣଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ନା ଅଛି ପୈତୃକ ସମ୍ପତି ନା ଅଛି ନିଜସ୍ଵ ଜମିବାଡ଼ି ଓ ଭଲ ଘର। ଓଳିଏ ଖାଇବା ହେଲେ ଆର ଓଳିକୁ ଚିନ୍ତା କରିବାକୁ ପଡୁଛି କଣ ଖାଇବେ। ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ତେଲକନାଡି ଗ୍ରାମରେ ରୁହନ୍ତି ରାମକୃଷ୍ଣ ଓ ତାଙ୍କ ପରିବାର। ଆଧୁନିକ ଯାନ୍ତ୍ରିକ ଯୁଗରେ ବଞ୍ଚିବାକୁ ମୁଖ୍ୟ କର୍ମ ଭାବେ କମାର କାମକୁ ପ୍ରାଥମିକତା ଦେଇ ନିଆଁ ଲୁହା ସହ ସଙ୍ଘର୍ଷ ଜାରି ରଖିଛନ୍ତି ରାମ। ଏହି କାର୍ଯ୍ୟରେ ପତ୍ନୀ ମିନତି କମାର ସହଯୋଗ କରି ଆସୁଛନ୍ତି ସ୍ଵାମୀ ରାମଙ୍କୁ। କେବେ କେତେବେଳେ କେଉଁ ଦିନ କେତେ ବ୍ୟବସାୟ ହେବ ତାର କୌଣସି ନିଶ୍ଚିନ୍ତତା ନାହିଁ। ପୂର୍ବ ଭଳି କୃଷି କାର୍ଯ୍ୟରେ ଏବଂ ଦୈନଦିନ ଘରୋଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହାର ବିଭିନ୍ନ ସାମଗ୍ରୀ ବିକ୍ରି ଓ ତିଆରି ସେହି ପରିମାଣରେ ଚାହିଦା ରହୁନାହିଁ। ଜମି ଚଷିବାକୁ ଲଙ୍ଗଳ ପରିବର୍ତ୍ତେ ଟ୍ରାକ୍ଟର ପାୱାରଟିଲର ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବାରୁ ଲଙ୍ଗଳ ଲୁହା ( କସନା) ର ବ୍ୟବହାର ବ୍ୟାପକ ପରିମାଣରେ କମିଯାଇଛି। ସେହିପରି ଧାନ କଟା ମେସିନ ଉପଲବ୍ଧ ହେବାରୁ ଦା ( ଇଲା) ର ଆବଶ୍ୟକ ଆଉ ପଡୁନାହିଁ। ସମୟକ୍ରମେ ଟାଙ୍ଗିଆ, କୁରାଢି, କଟୁରୀ, ପନକି,ଶାବଳ, କୋଦାଳ ,ବାର୍ଶି , ଇଲା ଛୁରୀ ହାର୍ଡୱେର ଦୋକାନ ଗୁଡ଼ିକରେ ରେଡିମେଡ୍ ମିଳୁଥିବାରୁ କମାର ଶାଳକୁ ଲୋକେ ଆଉ ଯାଉନାହାନ୍ତି। ତଥାପି ପଲ୍ଲୀଗାଁ ଗୁଡିକରେ ପାରମ୍ପରିକ କୃଷି ସମ୍ବନ୍ଧିତ ଏବଂ ଘରେ ବ୍ୟବହୃତ ଅନ୍ୟାନ୍ୟ ଲୁହା ସାମଗ୍ରୀର ଚାହିଦା ରହିଥିବା ବେଳେ ଲୋକେ କମାର ଶାଳକୁ ଆସିଥାନ୍ତି। ଯାହାବି କାମ ମିଳେ ସେତିକିରେ ସନ୍ତୁଷ୍ଟ ହେବାକୁ ପଡେ ବୋଲି ରାମ କହିଛନ୍ତି। ଚାଷକାର୍ଯ୍ୟ ଆରମ୍ଭ ହେଲେ ଲୁହା ସାମଗ୍ରୀତିଆରି ବରାଦ ଅଧିକ ହେଉଥିବା କହିଛନ୍ତି। ବୟସ 60ହେବାକୁ ଗଲାଣି ତଥାପି ପରିବାର ପ୍ରତିପୋଷଣ ପାଇଁ କଠିନ ପରିଶ୍ରମ କରିବାକୁ ପଡୁଛି କମାର ଦମ୍ପତିଙ୍କୁ। ଲୁହା କିଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। କମାର ଶାଳ ପାଇଁ ଆବଶ୍ୟକ ଅଙ୍ଗାର ଆଣିବାକୁ ମାଇଲ ମାଇଲ ଦୂର ବାଟ ଯାଇ ଜଙ୍ଗଲରୁ ଅଙ୍ଗାର ପ୍ରସ୍ତୁତ କରି ଆଣିବାକୁ ପଡୁଛି। ଭୋର ସକାଳେ କଣ ଗଣ୍ଡେ ଖାଇ ଆଉ କିଛି ଖାଦ୍ୟ ମଧ୍ୟାହ୍ନ ଭୋଜନ ଧରି ସଞ୍ଜ ବସିବା ବେଳକୁ ଅଙ୍ଗାର କାଉଡ଼ି ଧରି ଫେରିବାକୁ ପଡୁଛି। ସବୁବେଳେ ଅଙ୍ଗାର ପାଇଁ ଦୂର ଜଙ୍ଗଲକୁ ଯିବା ସମ୍ଭବ ହେଉନାହିଁ। ବେଳେବେଳେ 5ଶହ ରୁ 6ଶହ ଟଙ୍କା ଦେଇ ଅଙ୍ଗାର କିଣିବାକୁ ପଡୁଛି। ଆଞ୍ଚଳିକ ଜାନିଯାତ୍ରା ପର୍ବପର୍ବାଣୀ ମଣ୍ଡେଇ ଦଶହରା ଆଦି ସମୟରେ ଲୁହା ସାମଗ୍ରୀ ବିକ୍ରି ଭଲ ହେଉଥିବା କହିଛନ୍ତି ରାମ। ଭାଟି ନିଆଁ ରେ ସିଝି ଲୁହାକୁ ଆକାର ଦେବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଛି। ପରିବାରରେ ସ୍ଵାମୀ ସ୍ତ୍ରୀ ସହ ପାଞ୍ଚ ସନ୍ତାନ ସନ୍ତତିକୁ ନେଇ ପରିବାର। ଦୁଇ ପୁଅ ଓ ତିନି ଝିଅ ରହିଥିବା ବେଳେ ବଡ ପୁଅ ବାହା ହୋଇଛି।ସେହିଭଳି ତିନି ଝିଅ ମଧ୍ୟ ବାହାହୋଇ ସ୍ୱାମୀ ଘରେ ରହୁଛନ୍ତି| ପରିବାର ରହିବାକୁ ପକ୍କା ଘର ଖଣ୍ଡେ ନାହିଁ । ନିଜସ୍ଵ ଖର୍ଚ୍ଚରେ ମାଟି କୁଡିଆ ଖଣ୍ଡେ କରି ରହୁଛନ୍ତି ଏହି କମାର ପରିବାର। ସରକାରୀ ସହାୟତାରେ ମିଳୁଛି ମାତ୍ର 25କେଜି ପଞ୍ଚାୟତ ଚାଉଳ। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଯୋଗାଇଦେବାକୁ ଗୁହାରି କରୁଛନ୍ତି କମାର ଦମ୍ପତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR