ଅନୁଦାନ-ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ରଣହୁଙ୍କାର DEO କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ; ସରକାରଙ୍କୁ ଦାବିପତ୍ର
କଳାହାଣ୍ଡି: ଭବାନୀପାଟଣା,୭l୮( ଷ୍ଟାରନିୟୁଜ ଓଡିଶା )ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଦୀର୍ଘଦିନର ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ (DEO)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ପ୍ରତିବାଦ ସଭା ଆୟୋଜନ କରାଯାଇ ସରକାରଙ୍କ ନିକଟରେ ଦାବି ପୂରଣ ପାଇଁ ଦାବି ରଖାଯାଇଛି।
ସମିତିର ପ୍ରମୁଖ ଦାବି ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଏବଂ ଅବସର ନେବାକୁ ଥିବା ଶିକ୍ଷକ-କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ଅନ୍ୟତମ।
ଏଥିସହ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି, ଶିକ୍ଷାନୁଷ୍ଠାନଗୁଡ଼ିକର ସରକାରୀକରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଏବଂ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବାକୁ ଦାବି କରାଯାଇଛି।
ଅନ୍ୟପକ୍ଷରେ ନୂତନ ପେନସନ୍ ବ୍ୟବସ୍ଥା ବଦଳରେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ ଏବଂ ଚାକିରିରେ ଚରିଷ୍ଠତା ପ୍ରଦାନ ଭଳି ଦାବି ମଧ୍ୟ ଉଠିଛି।
ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଓଷ୍ଟା କଳାହାଣ୍ଡି ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟା ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଧାରଣାରେ ସାମିଲ ହୋଇଥିଲେ।
ଦୀର୍ଘଦିନ ଧରି ଶିକ୍ଷକ-କର୍ମଚାରୀମାନେ ଉଠାଇ ଆସୁଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେବେ ଏବଂ ଦାବିଗୁଡ଼ିକର କେତେ ଶୀଘ୍ର ସମାଧାନ ହେବ, ଏବେ ତାହା ଉପରେ ଶିକ୍ଷକ ମହଲର ନଜର।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)