କେସିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟରେ ‘ନୋ ବ୍ୟାଗ୍ ଡେ’ ଖେଳ, କଳା, ସଙ୍ଗୀତ ଓ ଦକ୍ଷତାମୂଳକ କାର୍ଯ୍ୟରେ ଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ
[10:15 PM, 8/31/2026] SUJAYA: କେସିଙ୍ଗା, ୩୧/୦୮( ଷ୍ଟାରନିୟୁଜ ଓଡିଶା )ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ଭଲ ନମ୍ବର ମଧ୍ୟରେ ସୀମିତ ନୁହେଁ। ଛାତ୍ରଛାତ୍ରୀଙ୍କ ଜ୍ଞାନ, ସୃଜନଶୀଳତା, ଚିନ୍ତନଶକ୍ତି, ନୈତିକତା, ଦକ୍ଷତା ଓ ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ଆଧାର କରି ଜାତୀୟ ଶିକ୍ଷା ନୀତି-୨୦୨୦ର ଆନନ୍ଦମୟ, ଅନୁଭବଭିତ୍ତିକ ଓ ଛାତ୍ରକେନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୬-୨୭ର ପ୍ରଥମ ‘ନୋ ବ୍ୟାଗ୍ ଡେ’ (ବହି ବସ୍ତାନି ବିହୀନ ଦିବସ) ପାଳିତ ହୋଇଯାଇଛି।
ଏହି ଅବସରରେ ଛାତ୍ରୀମାନେ ପାଠ୍ୟପୁସ୍ତକ ଓ ଖାତା ନେଇ ବିଦ୍ୟାଳୟକୁ ଆସିବା ପରିବର୍ତ୍ତେ ଖେଳକୁଦ, ଚିତ୍ରକଳା, ସଙ୍ଗୀତ, ହସ୍ତଶିଳ୍ପ, ବଗିଚା କାର୍ଯ୍ୟ, ବିଭିନ୍ନ ଦକ୍ଷତାମୂଳକ ଓ ଅନୁଭବଭିତ୍ତିକ କାର୍ଯ୍ୟକଳାପରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ କାରିଗରମାନଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟ ଶିଖିବାର ସୁଯୋଗ ମଧ୍ୟ ଛାତ୍ରୀମାନେ ପାଇଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ପତ୍ତି ଛୁରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଦ୍ୟାଳୟରେ ପ୍ରସ୍ତୁତ ହୋଇଥିବା ୧୦ଟି ଶିକ୍ଷଣୀୟ କୋଣ ଉଦ୍ଘାଟନ କରିବା ସହ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସ୍ଥାନୀୟ ଶିକ୍ଷକ, ଶିକ୍ଷୟିତ୍ରୀ, ଶିଳ୍ପୀ, କଳାକାର ଓ ବିଚାରକମାନେ ଯୋଗଦେଇ ଛାତ୍ରୀମାନଙ୍କ କାର୍ଯ୍ୟକଳାପର ମୂଲ୍ୟାୟନ କରିଥିଲେ। ଏଥିସହ ସେମାନେ ଛାତ୍ରୀମାନଙ୍କୁ ଆବଶ୍ୟକ ପ୍ରତିପୁଷ୍ଟି ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ପୌରୋହିତ୍ୟରେ ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ କେସିଙ୍ଗା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ରିଡର୍ ରାଜେଶ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ନୋ ବ୍ୟାଗ୍ ଡେ’ର ଗୁରୁତ୍ୱ, ଶିକ୍ଷାରେ ଏହାର ପ୍ରାସଙ୍ଗିକତା ଓ ଛାତ୍ରୀମାନଙ୍କ ସୃଜନଶୀଳ ବିକାଶ ଉପରେ ଆଲୋକପାତ କରିଥିଲେ।
ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ଏହାର ସଫଳ ଆୟୋଜନରେ ସହଯୋଗ କରିଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)