ଭବାନୀପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍ସାହର ସହ ପାଳିତ
କଳାହାଣ୍ଡି ଜିଲ୍ଲା ୦୮/୦୨( ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସଫଳତାର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ମା ମାଣିକେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଳ ଅର୍ପଣ କରାଯାଇଥିଲା। ପରେ ଆଇଟି ବିଭାଗର ଅଧ୍ୟାପିକା ତଥା କଣ୍ଠଶିଳ୍ପୀ ସୁଶ୍ରୀ ଲିପ୍ସା ମହାରଣାଙ୍କ ମନ୍ତ୍ରୋଚ୍ଚାରଣ ସହ ଦ୍ୱୀପପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ଡ଼. ସୁବ୍ରତ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ରଖି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ନୀତିମୂଲ୍ୟ ମାଧ୍ୟମରେ ନିଜ ଆଗାମୀ ଭବିଷ୍ୟତ ଗଠନ କରିବାକୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ନିବେଦିତା ନାଥ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା, ଗବେଷଣା ଓ ସମାଜ ସେବା ପ୍ରତି ଆଗ୍ରହୀ ହେବାକୁ ପ୍ରେରିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ପୂର୍ବତନ ମୁଖ୍ୟ ଏବଂ ଶିଶୁ କଲ୍ୟାଣ ସମିତିର ପୂର୍ବତନ ଅଧ୍ୟକ୍ଷ ଡ଼. ଅଜୟ ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଦଳାଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତା ପାଇଁ ଲକ୍ଷ୍ୟନିଷ୍ଠା ଓ ପରିଶ୍ରମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼. ଗୁଣନିଧି ନାଏକ ଓ ଉପକୁଳସଚିବ ମେଜର ଡ଼. ଜୟଦେବ ସାହୁ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଡ଼. ସୁବ୍ରତ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନାର ଦାୟିତ୍ୱ ସୁଶ୍ରୀ ଲିପ୍ସା ମହାରଣା ନିଭାଇଥିଲେ। ଆଶିଷ ମହାପାତ୍ର ଓ ଅଶୋକ ପାଢ଼ୀ ତାଙ୍କୁ ସହଯୋଗ କରିଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ପତ୍ରିକା “ଦୂର୍ବା” ଲୋକାର୍ପିତ କରାଯାଇଥିଲା। ଏହା ସହିତ ଗଣିତ ବିଭାଗର ମୁଖ୍ୟ ଶ୍ରୀ ପ୍ରଦୀପ କୁମାର ପ୍ରଧାନଙ୍କ ସମ୍ପାଦିତ “Real Analysis–2” ପୁସ୍ତକର ଉନ୍ମୋଚନ ମଧ୍ୟ କରାଯାଇଥିଲା।
ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସଭା ଉତ୍ସାହମୟ ପରିବେଶରେ ସମାପ୍ତ ହୋଇଥିଲା।
ରିପୋର୍ଟ:
କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?