ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଅସମ୍ପୂର୍ଣ୍ଣ ଅଙ୍ଗନୱାଡି ଓ ମିଶନ ଶକ୍ତି ଗୃହ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ
ଭବାନୀପାଟଣା, ୨୩/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ (ICDS), ମିଶନ ଶକ୍ତି, ଶିଶୁ ସୁରକ୍ଷା ଏବଂ ପର୍ଯ୍ୟଟନ ବିଭାଗର କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରେ ନିର୍ମାଣାଧୀନ ଓ ଅସମ୍ପୂର୍ଣ୍ଣ ରହିଥିବା ଅଙ୍ଗନୱାଡି କେନ୍ଦ୍ର ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ଗୃହଗୁଡ଼ିକର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ସମ୍ପୂର୍ଣ୍ଣ କରି ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।
ସେ କହିଥିଲେ ଯେ, ମହିଳା ଓ ଶିଶୁଙ୍କ କଲ୍ୟାଣ ସହ ଜଡ଼ିତ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଭିତ୍ତିଭୂମି ସୁଦୃଢ଼ ହେବା ଆବଶ୍ୟକ। ଅଙ୍ଗନୱାଡି କେନ୍ଦ୍ର ଏବଂ ମିଶନ ଶକ୍ତି ଗୃହଗୁଡ଼ିକ କେବଳ ଭବନ ନୁହେଁ, ବରଂ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶର ପ୍ରମୁଖ କେନ୍ଦ୍ରବିନ୍ଦୁ। ତେଣୁ କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଅଧିକାରୀମାନଙ୍କୁ ସତର୍କ କରିଥିଲେ।
ଏହି ଅବସରରେ ଧର୍ମଗଡ଼ ବିଧାୟକ, କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁଖ୍ୟ ବିକାଶ ଅଧିକାରୀ (CDO), ଧର୍ମଗଡ଼ ଉପଜିଲ୍ଲାପାଳ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ ଏବଂ ବ୍ଲକ ମିଶନ ଶକ୍ତି କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
ବୈଠକରେ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ଫଳପ୍ରଦ ଏବଂ ତ୍ୱରିତ କରିବା ସହ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତା, ସମୟବଦ୍ଧତା ଓ ଗୁଣାତ୍ମକତା ବଜାୟ ରଖିବାକୁ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ।
What's Your Reaction?