କେସିଙ୍ଗାରେ ଦୁଃସାହସିକ ଚୋରି ତାଲା କାଟି ବ୍ୟବସାୟୀଙ୍କ ଘରେ କଳାକାଣ୍ଡ

Jul 22, 2026 - 22:02
 0  1
କେସିଙ୍ଗାରେ ଦୁଃସାହସିକ ଚୋରି ତାଲା କାଟି ବ୍ୟବସାୟୀଙ୍କ ଘରେ କଳାକାଣ୍ଡ

କେସିଙ୍ଗା, ୨୨l୭ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ଏକ ବଡ଼ଧରଣର ଚୋରି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ଥାନୀୟ ଅମ୍ବାଜି ଏଜେନ୍ସିର ବ୍ୟବସାୟୀ ପୁନମ ଚାନ୍ଦ ଜୈନଙ୍କ ବାସଭବନରୁ ଦୁର୍ବୃତ୍ତମାନେ ପ୍ରାୟ ୩୦ ଲକ୍ଷ ଟଙ୍କା ନଗଦ, ସୁନା-ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପୁନମ ଚାନ୍ଦ ଜୈନ ଓ ତାଙ୍କ ପରିବାର ଏକ ପାରିବାରିକ କାର୍ଯ୍ୟରେ ଯୋଗଦେବା ପାଇଁ ଘରେ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସୁଯୋଗର ଫାଇଦା ଉଠାଇ ଦୁର୍ବୃତ୍ତମାନେ ରାତିରେ ଘରର ମୁଖ୍ୟ ଗେଟ୍‌ର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ପରେ ଘର ଭିତରେ ଥିବା ଆଲମାରି ଓ ଲକର ଖୋଲି ନଗଦ ଅର୍ଥ, ସୁନା-ରୁପା ଗହଣା ସହ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ।
ଘରର ଗେଟ୍‌ ଖୋଲା ଥିବା ଦେଖି ଜଣେ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେ ତୁରନ୍ତ ଘର ମାଲିକଙ୍କୁ ଖବର ଦେଇଥିଲେ। ପରେ ପରିବାର ଘରକୁ ଫେରି ଚୋରି ଘଟିଥିବା ଦେଖି କେସିଙ୍ଗା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଆଦର୍ଶ ଥାନାର ଆଇଆଇସି, ଏସଡିପିଓ, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଘର ପରିସରରୁ ଗନ୍ଧ ଧରି ୩ ନମ୍ବର ୱାର୍ଡର ବିଭିନ୍ନ ଗଳି ଦେଇ ଅମ୍ବାଜି ମନ୍ଦିର ଅଞ୍ଚଳ ଓ ସେଠାରୁ କେସିଙ୍ଗା ରେଳ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡ଼ିଛି। ଏହାପରେ ଚୋରମାନେ ଟ୍ରେନ୍‌ ଯୋଗେ ଫେରାର ହୋଇଥିବା ସନ୍ଦେହ ପୋଲିସ କରୁଛି।
ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରୁଛି। ସେହିପରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।
ଏହି ଦୁଃସାହସିକ ଚୋରି ପରେ କେସିଙ୍ଗା ସହରବାସୀଙ୍କ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ପୋଲିସ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR