ଜଣେ ଶିକ୍ଷକରେ ଚାଲିଛି ୬୦ରୁ ଅଧିକ ଛାତ୍ରଙ୍କ ପାଠପଢ଼ା, ବିଇଓଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ ଶିକ୍ଷକ ସମସ୍ୟାରେ ବିଇଓଙ୍କ ଦ୍ୱାରସ୍ତ ଗ୍ରାମବାସୀ

Jul 22, 2026 - 21:59
 0  5
ଜଣେ ଶିକ୍ଷକରେ ଚାଲିଛି ୬୦ରୁ ଅଧିକ ଛାତ୍ରଙ୍କ ପାଠପଢ଼ା, ବିଇଓଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ ଶିକ୍ଷକ ସମସ୍ୟାରେ ବିଇଓଙ୍କ ଦ୍ୱାରସ୍ତ ଗ୍ରାମବାସୀ

ନର୍ଲା, ୨୨/୦୭ (ଷ୍ଟାର ନ୍ୟୁଜ ଓଡ଼ିଶା):
କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଭାଟିପଡା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ଜଣେ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ହେଉଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଦୁଇଟି ଶିକ୍ଷକ ପଦବୀ ଅନୁମୋଦିତ ଥିଲେ ମଧ୍ୟ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଅନୁପସ୍ଥିତ ରହିଥିବାରୁ ସମସ୍ତ ଶିକ୍ଷାଦାନର ଦାୟିତ୍ୱ ଜଣେ ଶିକ୍ଷକଙ୍କ ଉପରେ ନ୍ୟସ୍ତ ହୋଇଛି। ଏପରି ପରିସ୍ଥିତିରେ ପାଞ୍ଚଟି ଶ୍ରେଣୀର ପାଠପଢ଼ାକୁ ସୁଚାରୁ ଭାବେ ପରିଚାଳନା କରିବା କଷ୍ଟସାଧ୍ୟ ହୋଇପଡ଼ିଛି।
ଏହି ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଗ୍ରାମବାସୀ ଓ ଅଭିଭାବକମାନେ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟରେ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରାଯିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ନର୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଥିବାରୁ ଏହି ଘଟଣା ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଶିକ୍ଷକ ଅଭାବ ସମସ୍ୟା କେବେ ଦୂର ହେବ, ତାହାକୁ ନେଇ ଅଭିଭାବକ, ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଚାଲିଛି। ଶିକ୍ଷା ବିଭାଗ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR