ଚିତ୍ରାଙ୍ଗୀ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।

Jul 23, 2025 - 08:50
 0  290
ଚିତ୍ରାଙ୍ଗୀ ନଦୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।

ଝରିଗାଁ,୨୩l୭ (ଷ୍ଟାର ନିୟୁଜ ଓଡିଶା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳଗୁଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତ ଶରୀର ଚିତ୍ରାଙ୍ଗୀ ନଦୀ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ମୃତ ମହିଳା ଜଣକ ହେଲେ ଗୋପାଳଗୁଡ଼ା ଗ୍ରାମର ଅମର ଭତରାଙ୍କ ସ୍ତ୍ରୀ ଫୁଲନା ଭତରା (35)। ଘଟଣା ପ୍ରକାରେ ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ମହିଳା ଜଣକ ଗାଁ ନିକଟ ନଦୀ ତଟରେ ଥିବା ନିଜ ଚାଷ ଜମିରେ ହଳ କରୁଥିବା ସ୍ବାମୀ ଅମରଙ୍କୁ ଚା ଜଳଖିଆ ଦେବାକୁ ଯାଇଥିଲେ । ଜଳଖିଆ ଦେଇ ସାରି ନଦୀ ନିକଟ ଅସ୍ଥାୟୀ କୁଡିଆ ଅଭିମୁଖେ ଫେରିଥିଲେ।ଅମର ଭତରାଙ୍କ ନଦୀ ନିକଟରେ ଚାଷ ଜମି ରହିଥିବାରୁ ସେଠାରେ ଅସ୍ଥାୟୀ କୁଡିଆ କରି ସ୍ଵାମୀସ୍ତ୍ରୀ ଚାଷ କାର୍ଯ୍ୟ କରି ଆସୁଥିଲେ। କିଛି ସମୟ ବ୍ୟବଧାନ ପରେ ଅମରଙ୍କ ଭାଉଜ ବାସନ୍ତୀ ଭତରା ଓ ଝିଆରୀ ଚାଷ ଜମି ଆଡେ ଯାଉଥିବା ସମୟରେ ନଦୀ ପାଣିରେ ମୃତଦେହ ଭାସୁଥିବା ଦେଖି ଅମରଙ୍କୁ କହିଥିଲେ। ଅମର ଭତରା ସ୍ତ୍ରୀ ଫୁଳନା ଚା ଜଳଖିଆ ଦେଇ ଅଳ୍ପ ସମୟ ହେବ ସେ ଫେରିଥିବା କହି କଥାକୁ ଗୁରୁତ୍ବ ଦେଇନଥିଲେ ଏବଂ ଜମି ହଳ କରିବାରେ ବ୍ୟସ୍ତ ଥିଲେ। ହଳ କାର୍ଯ୍ୟ ସାରି ପ୍ରାୟ 11 ଘଣ୍ଟା ସମୟରେ ଫେରିବା ବେଳକୁ ମୃତ ଦେହ ଦେଖି ପିନ୍ଧିଥିବା ଶାଢ଼ୀକୁ ଚିହ୍ନି ସ୍ତ୍ରୀ ଫୁଲନାଙ୍କ ଶବ ବୋଲି ନିଶ୍ଚିତ ହୋଇଥିଲେ। ଗାଧୋଇବାକୁ ମହିଳା ପ୍ରାୟ ନଦୀକୁ ଯାଇଥାନ୍ତି। ଅସାବଧାନତା ଯୋଗୁଁ ନଦୀରେ ଖସି ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବୋଲି ମୃତ ମହିଳାଙ୍କ ସ୍ଵାମୀ ଅମର ଭତରା କହିଛନ୍ତି। ସ୍ଵାମୀ ଅମର ଭତରା ଏନେଇ ଆଜି ଅପରାହ୍ନରେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର ଓ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ପୋଲିସ ସୂଚନା ଦେଇଛି। ଆଜି ସନ୍ଧ୍ୟା 7 ଘଣ୍ଟା ସମୟରେ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଯାହାଫଳରେ ବ୍ୟବଚ୍ଛେଦ ଆଜି ହୋଇପାରି ନାହିଁ । ଆସନ୍ତା କାଲି ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow