ଜଙ୍ଗଲରେ ନିଆଁ ନ ଲଗାଇବାକୁ ଆହ୍ୱାନ, ବନାଗ୍ନି ନିବାରଣ ପାଇଁ ସଜାଗ ବନବିଭାଗ

Feb 10, 2026 - 14:01
 0  20
ଜଙ୍ଗଲରେ ନିଆଁ ନ ଲଗାଇବାକୁ ଆହ୍ୱାନ, ବନାଗ୍ନି ନିବାରଣ ପାଇଁ ସଜାଗ ବନବିଭାଗ

କଳାହାଣ୍ଡି , ୦୯/୦୨(ଷ୍ଟାର ନ୍ୟୁଜ ଓଡିଶା):ଜଙ୍ଗଲରେ ନିଆଁ ଲଗାଇବା ଘଟଣା ରୋକିବା ଏବଂ ବନାଗ୍ନି ନିବାରଣ ପାଇଁ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଥିବା ସୂଚନା ଦେଇଛି। ଏନେଇ ସାଧାରଣ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନ ହେବାକୁ ଆହ୍ୱାନ କରାଯାଇଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏବର୍ଷ ସାଧାରଣ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସହକାରୀ ବନ ସଂରକ୍ଷକ ଶ୍ରୀ ଓମକାର ଦାସ, ରେଞ୍ଜ ଅଫିସର ଶ୍ରୀ ଦିପ୍ତିମାନ ପଣ୍ଡା ଓ କର୍ଲାପାଟ ଫରେଷ୍ଟର ଶ୍ରୀ ଜୋଗେନ୍ଦ୍ର ମାଝୀ ବନାଗ୍ନି ନିବାରଣ ନେଇ ବିଭିନ୍ନ ସୂଚନା ଦେଇଥିଲେ।
ବନାଗ୍ନି ଘଟଣାଗୁଡ଼ିକ ବନ ପରିସ୍ଥିତିତନ୍ତ୍ର, ବନ୍ୟପ୍ରାଣୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବିକା ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରୁଥିବାରୁ ଏହାର ନିବାରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି କୁହାଯାଇଥିଲା।
ଡିଭିଜନ୍‌ର ବିଭିନ୍ନ ରେଞ୍ଜ, ସେକ୍ସନ ଓ ବିଟ୍ ଅଞ୍ଚଳରେ ୯ଟି ବନାଗ୍ନି ସୁରକ୍ଷା ଦଳ ନିଯୁକ୍ତ କରାଯାଇଥିବା ବେଳେ ୯ଟି ଅଗ୍ନିଶମ ଯାନ ନିୟୋଜିତ କରାଯାଇଛି। ଏହି ଦଳଗୁଡ଼ିକ ପାଖରେ ୩୮ଟି ଲିଫ୍‌ ବ୍ଲୋଅର, ୯୦ଟି ଅଗ୍ନି ନିବାରଣ ସୁରକ୍ଷା ସାମଗ୍ରୀ ଯଥା— ପ୍ରାଥମିକ ଚିକିତ୍ସା କିଟ୍, ହେଲମେଟ୍, ସୁରକ୍ଷା ଜୁତା, ହୁକ୍‌, ବର୍ଜ ଆଦି ସହ ଅତ୍ୟାବଶ୍ୟକ ନିଆଁ ନିବାରଣ ଉପକରଣ ଉପଲବ୍ଧ ରହିଛି।
ବନ ସୁରକ୍ଷା ସମିତି, ପରିବେଶ ବିକାଶ କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କ ସକ୍ରିୟ ଅଂଶଗ୍ରହଣକୁ ବନାଗ୍ନି ନିବାରଣ ଓ ପ୍ରଶମନ ପାଇଁ ସୁନିଶ୍ଚିତ କରାଯାଇଛି। ଜଙ୍ଗଲ ଅଗ୍ନି ନିବାରଣ ଓ ପ୍ରଶମନ ପାଇଁ ଏପର୍ଯ୍ୟନ୍ତ ୨୯୮ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ୩୧୬ଟି ଜଙ୍ଗଲ ସୀମାନ୍ତ ଓ ଅଗ୍ନି ପ୍ରଭାବିତ ଗ୍ରାମକୁ ବନାଗ୍ନି ନିବାରଣ ଓ ପରିଚାଳନା ପାଇଁ ଚିହ୍ନଟ କରାଯାଇଛି।
ବିଭାଗସ୍ତରୀୟ ତାଲିମ, ମକ୍‌ ଡ୍ରିଲ୍‌ ଏବଂ ବନାଗ୍ନି ନିବାରଣ ଓ ପରିଚାଳନା ଉପରେ ପ୍ରଦର୍ଶନୀ ୨୯ ଜାନୁଆରୀରେ ଜାରିଙ୍ଗ ନର୍ସରୀରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ନିଆଁ ନ ଲଗାଇବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ବନବିଭାଗ ସମସ୍ତ ସମ୍ଭବ ପ୍ରୟାସ ଜାରି ରଖିବ ବୋଲି ଆହ୍ୱାନ ଦେଇଛି।

ରିପୋର୍ଟ:ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି

What's Your Reaction?

like

dislike

love

funny

angry

sad

wow

SUJAYA EDITOR