ପାନୀୟଜଳ ପାଇଁ ୨ କିମି ଦୂର ଯାଉଛନ୍ତି ମଖାପଳାବାସୀ ୧୦ ଦିନ ହେଲା ବନ୍ଦ ଜଳଯୋଗାଣ, ଆଜି ବିଦ୍ୟୁତ ସଂଯୋଗ ପରେ ସମସ୍ୟା ସମାଧାନର ଆଶ୍ୱାସନ

Aug 14, 2026 - 20:54
0 19
ପାନୀୟଜଳ ପାଇଁ ୨ କିମି ଦୂର ଯାଉଛନ୍ତି ମଖାପଳାବାସୀ ୧୦ ଦିନ ହେଲା ବନ୍ଦ ଜଳଯୋଗାଣ, ଆଜି ବିଦ୍ୟୁତ ସଂଯୋଗ ପରେ ସମସ୍ୟା ସମାଧାନର ଆଶ୍ୱାସନ

କେସିଙ୍ଗା, ୧୪/୮ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଖାପଳା ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଛି ପାନୀୟଜଳ ସମସ୍ୟା। ଗ୍ରାମରେ ବସୁଧା ଯୋଜନାର ଓଭରହେଡ୍ ଟ୍ୟାଙ୍କ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଓ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ନିୟମିତ ଜଳଯୋଗାଣ ହୋଇପାରୁନାହିଁ।
ବର୍ତ୍ତମାନ ୧୦ ଦିନରୁ ଅଧିକ ସମୟ ଧରି ଜଳଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଗାଁଠାରୁ ପ୍ରାୟ ୨ କିମି ଦୂରରେ ଥିବା ଏକ ନଳକୂଅରୁ ଭଲ ପାଣି ମିଳୁଥିବାରୁ ମହିଳାଙ୍କ ସମେତ ଗ୍ରାମବାସୀ ସାଇକଲ ଓ ବାଇକ୍‌ରେ ପାଣି ଆଣିବାକୁ ଯାଉଛନ୍ତି। ନଳକୂଅ ନିକଟରେ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି।
ଗ୍ରାମରେ ତିନୋଟି ନଳକୂଅ ଚାଲୁ ଥିଲେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ଏପରିକି ଗାଧୋଇବା ପାଇଁ ଲୋକଙ୍କୁ ଗାଁଠାରୁ ପ୍ରାୟ ୪ କିମି ଦୂରରେ ଥିବା ନାଳକୁ ଯିବାକୁ ପଡ଼ୁଛି। ବର୍ଷାଦିନେ ଓଭରହେଡ୍ ଟ୍ୟାଙ୍କରୁ ଗୋଳିଆ ପାଣି ଆସୁଥିବାରୁ ସମସ୍ୟା ଆହୁରି ଗୁରୁତର ହେଉଥିବା ଅଭିଯୋଗ ହୋଇଛି।
ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଓ କେସିଙ୍ଗା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏନେଇ ଆରଡବ୍ଲୁଏସଏସ୍‌ର ସହକାରୀ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠୀ କହିଛନ୍ତି ଯେ, ଆଜି ଓଭରହେଡ୍ ଟ୍ୟାଙ୍କକୁ ବିଦ୍ୟୁତ ସଂଯୋଗ ଦିଆଯିବ। ଏହାପରେ ଗ୍ରାମର ପାନୀୟଜଳ ସମସ୍ୟା ଦୂର ହେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଗ୍ରାମ ଭିତରେ ତିନୋଟି ନଳକୂଅ ଥିବା ସହ ଅଞ୍ଚଳରେ ଭୂତଳ ଜଳସ୍ତର କମ୍‌ ଥିବାରୁ ନୂଆ ନଳକୂଅରୁ ପାଣି ମିଳିବା କଷ୍ଟକର ବୋଲି ସେ ସୂଚନା ଦେଇଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User