ଝରିଗାଁ ବ୍ଲକର ୬୦ରୁ ଊର୍ଦ୍ଧ୍ବ ଗାଁକୁ ନାହିଁ ପକ୍କା ରାସ୍ତା ବର୍ଷାଦ‌ିନେ ଗଡ଼ୁନି ଆମ୍ବୁଲାନ୍ସ ଗର୍ଭବତୀ ଓ ରୋଗୀଙ୍କୁ ଖଟିଆ ଭରସା।

Oct 17, 2025 - 10:37
 0  17
ଝରିଗାଁ ବ୍ଲକର ୬୦ରୁ ଊର୍ଦ୍ଧ୍ବ ଗାଁକୁ ନାହିଁ ପକ୍କା ରାସ୍ତା ବର୍ଷାଦ‌ିନେ ଗଡ଼ୁନି ଆମ୍ବୁଲାନ୍ସ ଗର୍ଭବତୀ ଓ ରୋଗୀଙ୍କୁ ଖଟିଆ ଭରସା।

ଝରିଗାଁ,୧୭l୧୦(ଷ୍ଟାର ନିୟୁଜ ଓଡିଶା): ଦୁର୍ଗମ ଗ୍ରାମାଞ୍ଚଳର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷ କରି ଗମନାଗମନକୁ ଗୁରୁତ୍ବ ଦେଇ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏହାସତ୍ତ୍ବେ ବି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୬୦ରୁ ଊର୍ଦ୍ଧ୍ବ ଉପାନ୍ତ ଗାଁରେ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଫଳରେ ବର୍ଷାଦିନେ ଏହି ଗାଁ ଗୁଡ଼ିକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି। ବହୁ ବର୍ଷ ହେଲା ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃ୍ଷ୍ଟି ନ ଦେବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।ଆଉ କିଛି ଗ୍ରାମବାସୀ ସରକାରଙ୍କ ଉପରେ ଆସ୍ଥା ହରାଇ ଗ୍ରାମରେ ରହୁଥିବା ପରିବାର ଠାରୁ ଚାନ୍ଦା ଆଦାୟ କରିବା ସହ ଶ୍ରମଦାନ କରି ରାସ୍ତା ମରାମତି କରୁଛନ୍ତି।ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ସଦର ପଞ୍ଚାୟତର ମୁଣ୍ଡିଗୁଡା, ମାଣ୍ଡାଡଙ୍ଗରି, କୁସୁମପାଣି, କରଞ୍ଜିପାଣି, କଟଣାପାଣି, ଟେକରପାଣି ଭଳି ଗାଁକୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ସେହିପରି ଚକଲାପଦର ପଞ୍ଚାୟତର ମରାଘାଟ, ଜଟାଡଙ୍ଗରି, ପୋଡ଼ପାଣି, ଜାମକୋଟ, ଅଁଳାଝର, ଘୁମରସାହି, ମୁଣ୍ଡଖାଉଗୁଡା, ମାଝିପୋଡ଼ା, ଗଦଳାପୋଡ଼ା, ରଙ୍ଗମାଟିଗୁଡା,କୁସୁମବାହଲ,ତେଲନଦୀ ପଞ୍ଚାୟତର କୁନିଲାଲ, ଚାଉରିବେଡ଼ା, କନ୍ଦାସଡା, ଢେଫଗୁଡା, ଲିଙ୍ଗିଧରା, ଗୁମାନପାଣି, ବାଲିଘାଟ, ବଦଳିପାଣି, କାର୍ପନଧାରା, ଡ଼କରିବେଡା, ମିରିଚିମାଲ, ଟେମେରା ପଞ୍ଚାୟତର ଧାରାମଙ୍ଗଲିଗୁଡା ଏବଂ ସାନଜବାଗୁଡା ଭଳି ବ୍ଲକର ୭୦ରୁ ଊର୍ଦ୍ଧ୍ବ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯିବା ସମୟରେ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷାଦିନେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ୁଛି। ଫଳରେ ରାସନ ସାମଗ୍ରୀ, ଭତ୍ତା ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ସମୟରେ ହିତାଧିକାରୀ ହଇରାଣ ହେଉଛନ୍ତି। ଏଥିସହ ବର୍ଷାଦିନେ ରୋଗୀ ଓ ଗର୍ଭବତୀଙ୍କୁ ସଂପର୍କୀୟମାନେ ଖଟିଆ ଓ ଷ୍ଟ୍ରେଚରରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଉଥିବା ନଜିର ରହିଛି। ତୁରନ୍ତ ଏହି ସମସ୍ତ ଗାଁରେ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR