ବଡ଼ନୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ।
ଝରିଗାଁ,୨୯l୧୨ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅଧୀନରେ ଥିବା ବଡ଼ନୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆଜି ବେସ ଧୂମଧାମରେ ପାଳିତ ହୋଇଯାଇଛି |ମା ଠାକୁରାଣୀଙ୍କ ପୂଜାରୀ ମଙ୍ଗୁ ପୂଜାରୀ ମାଙ୍କ ନିତୀ ନିୟମ ଅନୁସାରେ ପୂଜାର୍ଚନା କରି ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ବଡ଼ନୀ ଗ୍ରାମର ଆଖପାଖ ଅଞ୍ଚଳର ସମସ୍ତ ଦେବଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ଶିରା, ଦିଶାରୀ,ରଇତ ଓ ବାଜା ମହୁରୀଆଙ୍କ ସହିତ ମାଙ୍କ ବାର୍ଷିକ ମଣ୍ଡେଇ ଦଶହରାରେ ସାମିଲ ହେବା ପାଇଁ ପହଂଚିଥିବା ଦେଖିବାକୁ ମିଳିଛି |ପ୍ରଥମେ ସମସ୍ତ ଦେବାଦେବୀ ନିଜ ନିଜ ପ୍ରତୀକ ସହିତ ପୂଜାରୀଙ୍କ ଘରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ପୂଜାରୀ ଘରୁ ବାହାରି ହାଟପଦା ସ୍ଥିତ ମା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ |ସେଠାରେ ସମସ୍ତ ଦେବାଦେବୀଙ୍କ ପୂଜାର୍ଚନା ପରେ ସମସ୍ତ ଦେବାଦେବୀ ନିଜ ନିଜ ପ୍ରତୀକ ସହିତ ବଜାର ପରିଭ୍ରମଣ କରିଥିଲେ |ମାଙ୍କ ବାର୍ଷିକ ମଣ୍ଡେଇ ଉତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଭିଡ଼ ଜମେଇଥିବା ବେଳେ ଉଠା ଦୋକାନୀ ମାନଙ୍କ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା |ମାଙ୍କ ମଣ୍ଡେଇ ଯାତ୍ରା ଦେଖିବାକୁ ଆସିଥିବା ଜନସାଧାରଣ ନିଜ ମନ ପସନ୍ଦର ଆବଶ୍ୟକିୟ ଉପକରଣ ସବୁ କିଣିବା ସହିତ ମିନା ବଜାରର ଭରପୁର ଆନନ୍ଦ ନେଇଥିଲେ|ରାତ୍ରିରେ ଜନସାଧାରଣଙ୍କ ମନରଞ୍ଜନ ସକାଶେ ବଡ଼ନୀ ମା ଠାକୁରାଣୀ ମଣ୍ଡେଇ କମିଟି ପକ୍ଷରୁ ଦୁଇଟା ଦେଶିଆ ନାଟକ ସାଙ୍ଗକୁ କଳାହାଣ୍ଡି ଘୁମୁରା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା |ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଏହି ମଣ୍ଡେଇ ଉତ୍ସବ ରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାଲିଆ ସରପଞ୍ଚ ରାଧା ସାନ୍ତା, ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ଖମାରୀ, ସମାଜସେବୀ ରମେଶ ହରିଜନ, ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ ପ୍ରମୁଖ ମଞ୍ଚାସିନ ରହିଥିଲେ |ବରେଣ୍ୟ ମୁଖ୍ୟ ଅତିଥି ମଞ୍ଚ ସମ୍ମୁଖରେ ପହଞ୍ଚି ଫିତା କାଟିବା ପରେ ଘୁମୁରା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା |ବଡ଼ନୀ ମା ଠାକୁରାଣୀ ମଣ୍ଡେଇ କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ତ୍ରିନାଥ ଭତରା, ଉପ ସଭାପତି ନନ୍ଦ ପୂଜାରୀ, ସମ୍ପାଦକ ମହେନ୍ଦ୍ର ଗୌଡ଼, କୋଷାଦକ୍ଷ ସୀତାରାମ ଗୌଡ଼, ଭୁଦେବ ଗୌଡ଼, ଈଶ୍ୱର ଗୌଡ଼, ସିନ୍ଧୁ ଯାନୀ, ଇନ୍ଦ୍ର ଗୌଡ଼ ଓ ଅନ୍ୟାନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହି ମଣ୍ଡେଇ ଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?