ବାହାଦୁରପଦରରେ ୮ ଫୁଟିଆ ଅଜଗର ଉଦ୍ଧାର ତେଳନଦୀ ପୀଠ ନିକଟରେ ଚାଷଜମିରୁ ଉଦ୍ଧାର, ଦେଖିବାକୁ ଜମିଲା ଲୋକଙ୍କ ଭିଡ଼
କେସିଙ୍ଗା, ୧୦/୮ (ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ବାହାଦୁରପଦର ଗାଁର ତେଳନଦୀ ପୀଠ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି। ସୋମବାର ଉଦ୍ଧାର ହୋଇଥିବା ଏହି ଅଜଗରର ଲମ୍ବ ପ୍ରାୟ ୮ ଫୁଟ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବାହାଦୁରପଦର କଲୋନୀପଡ଼ାର ମକରନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ ତେଳନଦୀ ନିକଟସ୍ଥ ନିଜ ଚାଷଜମିରେ କାମ କରୁଥିବା ସମୟରେ ହଠାତ୍ ଏକ ଅଜଗର ସାପକୁ ଦେଖିଥିଲେ। ସାପଟିକୁ ଦେଖି ଭୟଭୀତ ହୋଇ ସେମାନେ ତୁରନ୍ତ କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ କେସିଙ୍ଗା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଏବଂ ଭବାନୀପାଟଣାରୁ ବନ୍ୟପ୍ରାଣୀ ସଂରକ୍ଷଣ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦକ୍ଷତାର ସହ ଉଦ୍ଧାର କାର୍ଯ୍ୟ କରି ଅଜଗରଟିକୁ ସୁରକ୍ଷିତ ଭାବେ କାବୁ କରାଯାଇଥିଲା।
ବିଶାଳ ଅଜଗର ଉଦ୍ଧାର ହେବା ଖବର ପ୍ରଚାର ହେବା ପରେ ଏହାକୁ ଦେଖିବା ପାଇଁ ଗାଁର ଶତାଧିକ ଲୋକ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଉଦ୍ଧାର ସମୟରେ କେସିଙ୍ଗା ବନପାଳ ଯଶୋବନ୍ତ ନାଏକ, ବନ୍ୟପ୍ରାଣୀ ସଂରକ୍ଷକ ବିକିଜି ନାଗ, ବନ୍ୟପ୍ରାଣୀ ଉଦ୍ଧାରକାରୀ ଶଙ୍କର ନାଗ ଏବଂ କେସିଙ୍ଗା ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ବନ ବିଭାଗ ପକ୍ଷରୁ ଅଜଗରଟିକୁ ପରବର୍ତ୍ତୀ ସମୟରେ ତାହାର ସୁରକ୍ଷିତ ପ୍ରାକୃତିକ ପରିବେଶରେ ଛାଡ଼ିବା ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)