ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

Aug 28, 2026 - 21:29
0 2
ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

କଳାହାଣ୍ଡି, ୨୮/୮ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ମୀନଗୁର-ବଡ଼କୁଟୁରୁ ଆର୍‌.ଡି. ରାସ୍ତାର ମୀନଗୁର ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ କଲମପୁର ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ବାଇକ ଯୋଗେ କୁକୁଡ଼ା ନେଇ ବଡ଼କୁଟୁରୁ ଅଞ୍ଚଳର ଜଣେ ଦୋକାନୀଙ୍କୁ ଦେବା ପାଇଁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବାଲି ବୋଝେଇ ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ତାଙ୍କ ବାଇକକୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ, ବାଲି ବୋଝେଇ ଟ୍ରାକ୍ଟରର ଟ୍ରଲି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଅନ୍ୟପକ୍ଷରେ ଇନଦାଦ ଛିଟିକି ରାସ୍ତାକଡ଼ରେ ପଡ଼ି ଗୁରୁତର ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଇନଦାଦଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେତେବେଳକୁ ଇନଦାଦଙ୍କ ମୃତ୍ୟୁ ଘଟିସାରିଥିବା ଡାକ୍ତର ଘୋଷଣା କରିଥିଲେ। ଏନେଇ ଡାକ୍ତର କଲମପୁର ଥାନାକୁ ସୂଚନା ଦେଇଥିଲେ।
ସୂଚନା ପାଇ କଲମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି। ପରେ ପୁଲିସ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User