କଲମପୁରରେ ଅଭାବନୀୟ ଘଟଣା, ଅଭିଯୁକ୍ତ ବାପା ପୋଲିସ ଅଟକରେ
କଲମପୁର, ୬l୮ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଶାସକ୍ତ ଅବସ୍ଥାରେ ବାପାଙ୍କ କାଠଫାଳିଆ ଆକ୍ରମଣରେ ୨୦ ବର୍ଷୀୟ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତକ ହେଲେ ନୂଆଗୁଡ଼ା ଗ୍ରାମର ଆଲୋକ ରଞ୍ଜନ ଗହିର (୨୦)। ଅଭିଯୁକ୍ତ ବାପା ମାନସିଂ ଗହିର (୫୫) ପୁଅଙ୍କଠାରୁ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ବାପା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜିତ ହୋଇ ମାନସିଂ କାଠଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି।
ଗୁରୁତର ଆହତ ଆଲୋକଙ୍କୁ ପରିବାର ଲୋକେ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ପକ୍ଷରୁ ସୂଚନା ପାଇ କଲମପୁର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୋଲିସ ଅଭିଯୁକ୍ତ ମାନସିଂ ଗହିରଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଘଟଣାର ପ୍ରକୃତ କାରଣ ଓ ସମସ୍ତ ପରିସ୍ଥିତିକୁ ନେଇ ତଦନ୍ତ ଜାରି ରହିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
— ବିଷ୍ଣୁ ଚରଣ ସ୍ୱାଇଁ, ଜିଲ୍ଲା ପ୍ରତିନିଧି, କଳାହାଣ୍ଡି

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)