କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ: ଯୁବଶକ୍ତି ହିଁ ବିକଶିତ ଭାରତର ମୂଳ ଆଧାର
କେସିଙ୍ଗା, ୧୫/୮ (ଷ୍ଟାରନ୍ୟୁଜ ଓଡ଼ିଶା):
ଭାରତର ବିଶାଳ ଯୁବଶକ୍ତି ହିଁ ଦେଶର ଗଣତନ୍ତ୍ରର ପ୍ରକୃତ ଶକ୍ତି ଓ ସମ୍ଭାବନା। ଯୁବକ-ଯୁବତୀଙ୍କୁ ସଠିକ୍ ମାର୍ଗଦର୍ଶନ ଓ ସଶକ୍ତିକରଣ କରାଗଲେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନିଶ୍ଚିତ ଭାବେ ସାକାର ହେବ ବୋଲି କହିଛନ୍ତି କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା।
୮୦ତମ ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ପରିସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସେ ଏହି ଆହ୍ୱାନ ଦେଇଥିଲେ। ପତାକା ଉତ୍ତୋଳନ ପରେ ଏନ୍ସିସି, ନୌବାହିନୀ ଏନ୍ସିସି, ଗାଇଡ୍ସ, ଜୁନିଅର ରେଡକ୍ରସ, ସ୍କାଉଟ୍ସ ଓ ଘୋଷଦଳର ଛାତ୍ରୀମାନେ ଜାତୀୟ ପତାକାକୁ ଅଭିବାଦନ ଜଣାଇବା ସହ ଶୃଙ୍ଖଳିତ ମାର୍ଚ୍ଚପାଷ୍ଟ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ନବନିର୍ବାଚିତ ସଭାପତିଙ୍କ ସମେତ ସଦସ୍ୟସଦସ୍ୟା, ଅଭିଭାବକ-ଅଭିଭାବିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।
ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏଥିରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମୁଖ୍ୟ ଅତିଥି, କେସିଙ୍ଗା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ରିଡର୍ ରାଜେଶ କୁମାର ଅଗ୍ରୱାଲ ମୁଖ୍ୟ ବକ୍ତା ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନଶିକ୍ଷକ ହେମନ୍ତ କୁମାର ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ସମାରୋହରେ ଦେଶସେବାରେ ଅତୁଳନୀୟ ଅବଦାନ ପାଇଁ ଚାରିଜଣ ପୂର୍ବତନ ଓ ବର୍ତ୍ତମାନର ସାମରିକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଅବସରପ୍ରାପ୍ତ ହାବିଲଦାର ଲକ୍ଷ୍ମୀଧର ମାଝୀ, ଅବସରପ୍ରାପ୍ତ ହାବିଲଦାର ସଞ୍ଜୀବ ମାଝୀ, ବିଏସ୍ଏଫ୍ ୨୮ ବାଟାଲିୟନର ଜୱାନ ନୀଳମଣି ପଟ୍ଟନାୟକ ଏବଂ ୨୧ ବିହାର ରେଜିମେଣ୍ଟର ନାଏବ ସୁବେଦାର ବଶିଷ୍ଠ ମାଝୀ। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସମ୍ବର୍ଦ୍ଧିତ ସାମରିକ କର୍ମଚାରୀମାନେ ଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ନିଜ ଦେଶସେବାର ଅନୁଭୂତି ଓ ସତ୍ୟ ଘଟଣାବଳୀ ବର୍ଣ୍ଣନା କରି ପ୍ରେରଣା ଦେଇଥିଲେ। ଦେଶମାତୃକାର ସେବାକୁ ଜୀବନର ପରମ କର୍ତ୍ତବ୍ୟ ଓ ସୌଭାଗ୍ୟ ଭାବେ ଗ୍ରହଣ କରିବାକୁ ସେମାନେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହାପରେ ସ୍ୱାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀମାନଙ୍କ ପକ୍ଷରୁ ଦେଶାତ୍ମବୋଧକ ଭାବନା ଆଧାରିତ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।
What's Your Reaction?
Like
2
Dislike
0
Love
1
Funny
0
Wow
0
Sad
0
Angry
0
Comments (0)