ରଘୁନାଥପୁର ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା? ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିନି
କଳାହାଣ୍ଡି, ୨୬/୮ (ଷ୍ଟାରନ୍ୟୁଜ ଓଡ଼ିଶା):

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅଧୀନ ଛତ୍ରପୁର ପଞ୍ଚାୟତର ରଘୁନାଥପୁର ଗାଁ ପୋଖରୀରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ଗାଁର ରଥ ଦଳେଇ (୪୦)। ତାଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା—କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ରଥ ଦଳେଇ ଦୀର୍ଘ ପ୍ରାୟ ୧୦ ବର୍ଷ ହେବ ରଘୁନାଥପୁରରେ ନିଜ ଶ୍ୱଶୁର ଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣାପଡ଼ିଛି। ଏହି ସମୟରେ ପୋଖରୀରେ ଥିବା ଶିଉଳି ଯୋଗୁଁ ତାଙ୍କ ଗୋଡ଼ ଖସିଯାଇ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି।
ବୁଧବାର ସକାଳେ ଗାଁର ଜଣେ ବ୍ୟକ୍ତି ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ପାଣିରେ ରଥଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଖବର ପ୍ରଚାର ହେବା ପରେ ଗ୍ରାମବାସୀ ପୋଖରୀ ନିକଟରେ ଏକତ୍ରିତ ହୋଇ ପରିବାରକୁ ଜଣାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ମୋହନ କୁମାର ପରଜାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେହିପରି ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲା।
ପରେ ପୁଲିସ ମୃତଦେହକୁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦର ବ୍ୟବସ୍ଥା କରିଛି। ଏହି ଘଟଣାରେ ଲାଞ୍ଜିଗଡ଼ ଥାନାରେ ୟୁଡି କେସ୍ ନଂ-୦୨/୨୬ ରୁଜୁ ହୋଇଥିବା ଜଣାପଡ଼ିଛି।
ତେବେ ରଥଙ୍କ ମୃତ୍ୟୁ କେବଳ ପୋଖରୀରେ ବୁଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ତାହା ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣାକୁ ନେଇ ରଘୁନାଥପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)