ସଂରକ୍ଷିତ ଜଙ୍ଗଲରେ ମକା ମାଫିଆଙ୍କ ମକା ଚାଷ ପାଇଁ ଚାଲିଛି ପ୍ରସ୍ତୁତି ।ଜଙ୍ଗଲ ବିଭାଗ ଜାଣିଶୁଣି ନିରବ ◻️ ଜଙ୍ଗଲ କାଟି ଆବଧରେ ମକା ଚାଷ ◻️ଜଙ୍ଗଲ ଉପରେ ମକାମାଫିଆଙ୍କ ଲୋଲୁପଦୃଷ୍ଟି ◻️ବନ ମହୋତ୍ସବର ଶପଥ ପାଲଟିଛି ପ୍ରହସନ।

ଝରିଗାଁ,୫l୬(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ବନଖଣ୍ଡ ଝରିଗାଁ ବନାଞ୍ଚଳ ଅଧୀନ କଂଗ୍ରା,ମେଦନା,ଝରିଗାଁ,ମୋହରା,ମାଲଗାଁ ଫରେଷ୍ଟ ସେକ୍ସନ ରହିଛି ।ଯାହାର ୪୮ହଜାର ୮ଶହ ୨୭ହେକ୍ଟର ପରିବ୍ୟାପ୍ତ ସଂରକ୍ଷିତ ଜଙ୍ଗଲ ରହିଛି । ଯେଉଁ ଜଙ୍ଗଲ କିଛି ବର୍ଷ ପୂର୍ବରୁ ସବୁଜିମା ଓ ମୂଲ୍ୟବାନ ଗଛରେ ଭରପୁର ଥିଲା ତାହା ମକା ଚାଷ ପାଇଁ ଆଜି ବହୁ ମାତ୍ରାରେ ପଦା ହୋଇ ସାରିଲାଣି ।ହେଲେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ବେଳେ ଅଧିକାରୀ ଓ କର୍ମଚାରୀ ଜାଣିଶୁଣି ଚୁପ୍ ରହୁଥିବା ଅଭିଯୋଗ ହୋଇଛି । ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ମକା ମାଫିଆମାନେ ନିରୀହ ଆଦିବାସୀଙ୍କୁ ଲଗାଇ ହେକ୍ଟର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଷ୍ଟ କରି ଦୀର୍ଘ ବର୍ଷରୁ ମକା ଚାଷ କରି ଆସୁଥିବା ନଜର ରହିଛି ।ସୂଚନା ଅନୁଯାୟୀ, ଝରିଗାଁ ବନାଞ୍ଚଳର ୫ ଫରେଷ୍ଟ ସେକ୍ସନ ଅଧୀନର ବିଭିନ୍ନ ଗାଁ ର ଶହ ଶହ ଜଙ୍ଗଲ ପଦା ହୋଇସାରିଲାଣି । ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଆଦିବାସୀମାନେ ଆଜକୁ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଜଙ୍ଗଲ ର ଦୁର୍ଗମ ଅଞ୍ଚଳରେ ବସତି କରି ରହୁଛନ୍ତି । ବନାଞ୍ଚଳର କଙ୍ଗ୍ରା, ଭିତରକର୍ମରୀ, ବାହାରକର୍ମରି,ଦାହିମାଲ, ଡୋକରିକୋଟ, ସାନଟେମରା,ବଡଟେମରା,ଚିକିଲି, କେବିଡି ହାତିବାଡି,ମାଲଗାଁ,କୁହୁଡି ଓ ଅନେକ ଗାଁ ଅଛି, ଯେଉଁଠି ମକା ମାଫିଆମାନେ ମକା ଚାଷ ପାଇଁ ପ୍ରତିବର୍ଷ ଜଙ୍ଗଲ ସଫାକରି ଚାଷ କରୁଛନ୍ତି । ଯେଉଁ ଜଙ୍ଗଲ ଘଞ୍ଚ ଅଭୟାରଣ୍ୟରେ ପରିପୂର୍ଣ୍ଣ ଥିଲା ତାହା ଏବେ ମକାଚାଷ ପାଇଁ ପଦା ହୋଇ ସାରିଲାଣି । ଜଙ୍ଗଲ ସଫା କରି ମକା ମାଫିଆଙ୍କ ଶହ ଶହ ଏକର ମକା ଚାଷ କରିବା, ଅନଧିକାର ଭାବେ ଜଙ୍ଗଲ ସଫା କରି ବସତି ସ୍ଥାପନ କରିବା ଆଦି କାର୍ଯ୍ୟ ଯୋଗୁଁ ଜଙ୍ଗଲ କ୍ଷୟ ହେଉଛି । ଏଥିପ୍ରତି ବନ ବିଭାଗ ବିଶେଷ ଧ୍ୟାନ ଦେଉ ନଥିବାରୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ଝରିଗାଁ ଅଞ୍ଚଳରେ ରହି ଆସୁଥିବା ପଡୋଶୀ ଜିଲ୍ଲାର ସମେତ ଅଣ ଓଡ଼ିଆ ବିହାରୀ ବଙ୍ଗାଳୀମାନେ ଅନଧିକୃତ ଭାବେ ପସି ଜଙ୍ଗଲରେ ବାସ କରୁଥିବା ଲୋକଙ୍କୁ ମୋହାରା କରି ହେକ୍ଟର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ବର୍ଷ ବର୍ଷ ଧରି ମକାଚାଷ କରି ଆସୁଛନ୍ତି । ଜିଲ୍ଲାର ଉମରକୋଟ,ଡାବୁଗାଁ,ଝରିଗାଁ,ଚନ୍ଦାହାଣ୍ଡି ଅଞ୍ଚଳର କିଛି ସାହୁକାର ଏବଂ ଗାଁ ଗାଁରେ ରହୁଥିବା ଅଣ ଓଡ଼ିଆ ମାନେ ସ୍ଥାନୀୟ ଆଦିବାସୀଙ୍କୁ ମକାଚାଷ ପାଇଁ ବିହନ ସାର ଯୋଗାଇ ଦେଇ ଅମଳ ପରେ ସେମାନେ କମ୍ ମୂଲ୍ୟରେ ଆଦିବାସୀଙ୍କ ଠାରୁ କିଣି ମୁନାଫା କମାଉଥିବା ଜଣାପଡିଛି। ଜଙ୍ଗଲ ବିଭାଗ କର୍ମଚାରୀମାନେ ସବୁ ଜାଣି ଅଜଣା ରହୁଥିବାବେଳେ ତାଙ୍କ ନାକ ତଳେ ଜଙ୍ଗଲ ପଦା ହେଉଛି। ପ୍ରତିବର୍ଷ ଜଙ୍ଗଲ ମଧ୍ୟରେ ଅବାଧ ମକାଚାଷ ହେଉଥିବା ଦେଖିବାକୁ ମିଳୁଛି ତଥାପି ଚେଇଁ ସୋଇଛି ଜଙ୍ଗଲ ବିଭାଗ ।ଏବେ ଏହି ଅଞ୍ଚଳରେ ରାତିଦିନ ଟ୍ରାକ୍ଟର ଯୋଗେ ମକାଚାଷ ପାଇଁ କ୍ଷେତ ପ୍ରସ୍ତୁତି ଚାଳି ରହିଛି । ଏବଂ କିଛି ଦିନପରେ ପ୍ରଥମ ପର୍ଯ୍ୟାୟରେ ମକା ବିହନ ରୋଇବା କାମ ଚାଲିବ,ହେଲେ ବିଭାଗୀୟ କିଛି କର୍ମଚାରୀ ମକା ମଫିଆଙ୍କ ସହ ସଲସୁତୁରା ରଖି ହାତଗୁଞ୍ଜା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ଆଲୋଚନା ହେଉଛି। ଜଙ୍ଗଲ ସୁରକ୍ଷା ପାଇଁ ଅନେକ ଯୋଜନା ରହିଥିବା ବେଳେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ କରି ଜଙ୍ଗଲକୁ ସୁରକ୍ଷା ଦେବାକୁ ଶପଥ ନିଆଯାଇଛି । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଓ ଲାଭଖୋର ମାନବୃତ୍ତି ପାଇଁ ଏହା କେବଳ ପ୍ରତିଶ୍ରୁତିରେ ରହିଯାଉଛି । ଏଣେ ନାମକୁ ମାତ୍ର ରାସ୍ତାକଡ଼ରେ ଲୋକ ଦେଖାଣିଆ ଭାବେ ଚାରାରୋପଣ କରି ପ୍ରଶଂସା ସାଉଣ୍ଟୁଛି ବନ ବିଭାଗ, ଏପଟେ ଚାରା ମଲା କି ରହିଲା ତା'ର ମଧ୍ୟ କୌଣସି ଠିକଣା ନାହିଁ ।ଏବେ ଦିନ କୁ ଦିନ ଜଙ୍ଗଲ ବଢିବା ପରିବର୍ତ୍ତେ ନଷ୍ଟ ହେବାକୁ ବସିଥିବାବେଳେ ମାଫିଆମାନେ ଅବାଧରେ ଜଙ୍ଗଲ କାଟି ମକାଚାଷ କରିବା ସହ ମୂଲ୍ୟବାନ ଗଛ ଚାଲାଣ କରି ମଧ୍ୟ ମାଲାମାଳ ହେଉଛନ୍ତି। ଏଣୁ ଜଙ୍ଗଲ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଜଙ୍ଗଲ ସୁରକ୍ଷା ସହ ଅବଧ ମକାଚାଷ ରୋକିବାକୁ ସାଧାରଣରେ ଦାବି ହୋଇଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






