ଆଦିବାସୀ ମହିଳା ମାନଙ୍କ ପାଇଁ ରୋଜଗାରର ଉତ୍ସ ପାଲଟିଛି ବର୍ଷା ଦିନିଆଁ ଛତୁ ।ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା।

Aug 3, 2025 - 12:14
 0  85
ଆଦିବାସୀ ମହିଳା ମାନଙ୍କ ପାଇଁ ରୋଜଗାରର ଉତ୍ସ ପାଲଟିଛି ବର୍ଷା ଦିନିଆଁ ଛତୁ ।ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା।

ଝରିଗାଁ,୩l୮ (ଷ୍ଟାର ନିୟୁଜ ଓଡିଶା):;ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାଟି ବଣ ଜଙ୍ଗଲରେ ଘେରି ରହିଛି । ବର୍ଷର ବିଭିନ୍ନ ସମୟରେ ଏଠାକାର ମହିଳା ଓ ପୁରୁଷମାନେ ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରି ବଞ୍ଚିବା ସହିତ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଯଥା, ଅଁଳା, ହରଡ଼ା, ବାହାଡା, ମହୁଲ, ସର୍ଗିଫୁଲ, ଝୁଣା ଆଦି ସଂଗ୍ରହ କରିବା ସହିତ ବିଭିନ୍ନ ପ୍ରକାର କନ୍ଦମୂଳ ଓ ଫଳଫୁଲ ସଂଗ୍ରହ କରି ବଜାରରେ ବିକ୍ରୟ କରି ବେସ ଦୁଇ ପଇସା ରୋଜଗାର କରିଥାନ୍ତି । ସେହିପରି ବର୍ଷାୠତୁର ଆରମ୍ଭରୁ ହୋଇଯାଏ ବିଭିନ୍ନ ପ୍ରକାର ଋତୁକାଳୀନ ଛତୁ ଓ ବାଉଁଶ କରଡ଼ି ସଂଗ୍ରହ ।ଏଠାକାର ମହିଳାମାନେ ଅଞ୍ଚଳରେ ଥିବା ଛୋଟବଡ଼ ଜଙ୍ଗଲ, ଜମିହୁଡା, ଉଇଁଉଙ୍କା ଓ ଅନ୍ୟାନ୍ୟ ସ୍ଥାନରୁ ବିଭିନ୍ନ ପ୍ରକାର ଛତୁ ସଂଗ୍ରହ କରି ନିଜେ ଖାଇବା ସହିତ ବଜାରରେ ବିକ୍ରୟ କରି ବେସ ଦୁଇ ପଇସା ଉପାର୍ଜନ କରିଥାନ୍ତି ।ବର୍ଷା ଋତୁରେ ଫୁଟୁଥୁବା ବିଭିନ୍ନ ପ୍ରକାର ଛତୁ ମଧ୍ୟରେ (ବିନ ଛତୁ )ସମସ୍ତଙ୍କ ଅତି ପସନ୍ଦ ।ଏହି ଛତୁ ବର୍ଷାଋତୁରେ ନିର୍ଦ୍ଧିଷ୍ଟ କିଛି ସ୍ଥାନରେ (ଉଇଁଉଙ୍କା, ଜମିହୁଡା, ପାଳଗଦା, ଜଙ୍ଗଲ, ଗଛମୂଳ )ଫୁଟିଥାଏ ।ଏହି ଛତୁ ଅତି ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ତାକୁ ଖାଇବା ପାଇଁ ଅଧିକ ମୂଲ୍ୟ ଦେଇ ମଧ୍ୟ ବଡ ସରାଗରେ କିଣିଥାନ୍ତି ।ଛତୁ ସଂଗ୍ରହ କରୁଥିବା ମହିଳା ମାନଙ୍କ କହିବା ପ୍ରକାରେ ବର୍ଷାଋତୁରେ ଏହି ଛତୁର ବଜାର ଦର ଅଧିକ ହୋଇଯାଏ ।ଆଷାଢ଼ ମାସର ପହିଲି ବର୍ଷାରେ ଏହି ଛତୁ କିଲୋ ପ୍ରତି 500ରୁ 1000ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଶ୍ରାବଣ ମାସରେ ଏହାର ମୂଲ୍ୟ 1500ପାର ହୋଇଯାଏ ।ବିଶେଷ କରି ସହରାଞ୍ଚଳରେ ବସବାସ କରୁଥିବା ଲୋକେ ନିଜେ ସଂଗ୍ରହ କରିବାକୁ ଅସମର୍ଥ ସାଙ୍ଗକୁ ଛତୁ ଫୁଟୁଥିବା ସ୍ଥାନ ମାନଙ୍କ ଉପରେ ଜ୍ଞାନ ନଥିବାରୁ ଛତୁ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଉପରେ ନିର୍ଭର କରିଥାନ୍ତି ।ଛତୁର ବଜାର ଦର ଅତ୍ୟଧିକ ବୃଦ୍ଧି ପାଇଥିଲେ ମଧ୍ୟ କେବଳ ବର୍ଷାଋତୁରେ ମିଳୁଥିବାରୁ ଓ ଅଧିକ ସ୍ୱାଦିଷ୍ଟ ହୋଇଥିବାରୁ ମାଛ, ମାଂସ ଓ ଅଣ୍ଡା ଭଳି ତରକାରୀକୁ ପଛରେ ପକେଇ ଛତୁ ଟିକେ କିଣି ଖାଇବାକୁ ଆଗ୍ରହ କରନ୍ତି ଗ୍ରାହକ।ବର୍ଷାଋତୁ ଆସିଲେ ବଣ ଜଙ୍ଗଲରେ ଛତୁ ଫୁଟେ। ଅଞ୍ଚଳବାସୀ ଛତୁ ସଂଗ୍ରହକରି ହାଟବଜାରରେ ବିକ୍ରିକରିଥାନ୍ତି। ବିଶେଷକରି ଶ୍ରାବଣ ମାସରେ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗ ଓ ଅନେକ କିସମର ଛତୁ ଦେଖିବାକୁ ମିଳେ। ଯଦିଓ ଆଜିକାଲି କୃତ୍ରିମ ଉପାୟରେ ଛତୁଚାଷ ହେଉଛି, କିନ୍ତୁ ପ୍ରାକୃତିକ ପରିବେଶରେ ବଣ ଜଙ୍ଗଲରେ ମିଳୁଥିବା ଛତୁର ସ୍ବାଦ ସବୁଠୁ ନିଆରା। ଏଣୁ ଏହାର ଚାହିଦା ଅଧିକ। ପିଚ, ମଣ୍ଡା, ପତୁରା, ମହାମଣି, ଭାନୁ, ଅଙ୍ଗାରୁଆ, କୁଟା, ବାଉଁଶ, କାଠଛତୁ, ବାଲିଛତୁ, ବିହୁଡୁଣୀ, ରୁଟୁକା ଆଦି ଭଳି ଅନେକ ଦେଶୀଛତୁ ଏବେ ବଜାରରେ ଉପଲବ୍ଧ ହେଉଛି। ଆଦିବାସୀ ମହିଳାମାନେ ଛତୁକୁ ପାପଡାହାଣ୍ଡି, ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ଝରିଗାଁ, କୋଡୀଙ୍ଗା ଆଦି ସହରର ରାସ୍ତାକଡ଼ରେ ପତ୍ରଠୋଲା ବା ଚଉପଦିରେ ଭାଗକରି ବିକ୍ରି କରୁଛନ୍ତି।ବନବାସୀମାନେ ସକାଳୁ ଡାଲା, ବ୍ୟାଗ୍‌, ଆଦି ଧରି ଗାଁମୁଣ୍ଡ, ଜମିବାଡ଼ି, ବଣ ଜଙ୍ଗଲକୁ ଛତୁ ଗୋଟାଇବାକୁ ବାହାରିଯାଆନ୍ତି। ସେସବୁ ସଂଗ୍ରହକରି ଘରକୁ ଆଣି ନିଜେ ଖାଇବା ସହିତ ହାଟ ବଜାରକୁ ନେଇ ବିକ୍ରି କରିଥାନ୍ତି। ଛତୁ ଭାଗ 100 ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ 1500ରୁ 2000 ଟଙ୍କା ପର୍ଯ୍ୟନ୍ତ ବେପାରୀମାନେ ବିକ୍ରି କରିଥାଆନ୍ତି। ବିଶେଷକରି ବାଲି, ରୁଟୁକା, ବିହୁଡୁଣୀ, କୁଟା ଆଦି ଛତୁର ଚାହିଦା ଅଧିକ ରହିଛି। ଏହାର ଦାମ ମଧ୍ୟ ଅନ୍ୟ ଛତୁ ତୁଳନାରେ ଅଧିକ। ବ୍ୟବସାୟୀ ରୁଟୁକା ଛତୁ କିଲୋ ପିଛା 5 ଶହରୁ 6 ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଆଧୁନିକ ପ୍ରଣାଳୀରେ ବଟମ ଓ ପାଳଛତୁୁ ବର୍ଷ ତମାମ ଚାଷ କରାଯାଇ ପାରୁଥିବାରୁ ବର୍ଷସାରା ଖାଇବାକୁ ମିଳିଥାଏ। ବର୍ଷାଦିନରେ ବଜାରରେ ମିଳୁଥିବା ଦେଶୀ ଛତୁକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି। ତେବେ ଉପଯୁକ୍ତ ବଜାର ଅଭାବରୁ ଆଦିବାସୀମାନେ ଅନେକ ସମୟରେ ବେପାରୀଙ୍କ ଶୋଷଣର ଶିକାର ହୋଇଥାଆନ୍ତି। ଆଦିବାସୀମାନେ କଷ୍ଟକରି ଛତୁ ସଂଗ୍ରହକରି ଆଣୁଛନ୍ତିି। କିନ୍ତୁ ବ୍ୟବସାୟୀ ସେମାନଙ୍କୁ ଓଜନ ଓ ଦରରେ ଠକି ନେଇ ବିନା ପରିଶ୍ରମରେ ଲାଭବାନ୍‌ ହେଉଛନ୍ତି। ଛତୁ ସଂଗ୍ରହ କରୁଥିବା ମହିଳାମାନେ କୁହନ୍ତି ଆଗଭଳି ବର୍ଷା ନାହିଁ ବୋଲି ଅଧିକ ଛତୁ ମିଳୁନାହିଁ । ଯାହା ମିଳେ ସେଥିରେ ଘର ଚଳେ|ଆଗ କାଳରେ ଘର ଆଖପାଖ ଓ ପଡ଼ିଆରେ ବହୁତ ଛତୁ ମିଳୁଥିଲା। ଏବେ ଛତୁ ସଂଗ୍ରହ ପାଇଁ ଜଙ୍ଗଲ ଓ ପାହାଡ଼ ଭିତରକୁ ଯିବାକୁ ପଡୁଛି। ଛତୁରେ ପ୍ରୋଟିନ ଭରି ରହିଛି। ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ। କିନ୍ତୁ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଅନେକେ ଅସୁସ୍ଥ ହୋଇପଡ଼ନ୍ତି। ଏଣୁ ଦେଖି ପରଖି ଛତୁ ଖାଇବା କଥା ବୋଲି ସଂଗ୍ରହକାରୀ ମାନେ କୁହନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow