ଚତୁର୍ଥ ଦିନରେ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଆତ୍ମନିର୍ଭରଶୀଳତା ହେଉ କଳାହାଣ୍ଡିବାସୀଙ୍କ ନୂତନ ପରିଚୟ କଳାହାଣ୍ଡିବାସୀ ଆତ୍ମ ନିର୍ଭରଶୀଳ ହେବାର ସମୟ ଆସିଛି ପର୍ଯ୍ୟଟନଭିତ୍ତିକ ଅର୍ଥନୀତିର ବିକାଶ ପାଇଁ ପ୍ରୟାସ ଆରମ୍ଭ ହେଉ ଆଶିଷ କୁମ୍ଭାର, ଅନ୍ତରା ଚକ୍ରବର୍ତ୍ତିଙ୍କ ଅର୍କେଷ୍ଟ୍ରା ମୁଖ୍ୟ ଆକର୍ଷଣ

Jan 18, 2026 - 19:12
0 30
ଚତୁର୍ଥ ଦିନରେ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬  ଆତ୍ମନିର୍ଭରଶୀଳତା ହେଉ କଳାହାଣ୍ଡିବାସୀଙ୍କ ନୂତନ ପରିଚୟ  କଳାହାଣ୍ଡିବାସୀ ଆତ୍ମ ନିର୍ଭରଶୀଳ ହେବାର ସମୟ ଆସିଛି  ପର୍ଯ୍ୟଟନଭିତ୍ତିକ ଅର୍ଥନୀତିର ବିକାଶ ପାଇଁ ପ୍ରୟାସ ଆରମ୍ଭ ହେଉ  ଆଶିଷ କୁମ୍ଭାର, ଅନ୍ତରା ଚକ୍ରବର୍ତ୍ତିଙ୍କ ଅର୍କେଷ୍ଟ୍ରା ମୁଖ୍ୟ ଆକର୍ଷଣ

ଭବାନୀପାଟଣା,୧୭/୦୧(   ଷ୍ଟାର ନିୟୁଜ ଓଡିଶା  )- କଳାହାଣ୍ଡି ଜିଲ୍ଲାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭରିରହିଛି। ଜିଲ୍ଲାର ପ୍ରକୃତି ଓ ପରିବେଶର ସଠିକ ଉପଯୋଗ କରି ପର୍ଯ୍ୟଟନଭିତ୍ତିକ ଅର୍ଥନୀତିର ବିକାଶ ପାଇଁ ପ୍ରୟାସ ଆରମ୍ଭ ହେଉ। ଜିଲ୍ଲାର ଯୁବପିଢ଼ି ଚାକିରୀ ଉପରେ ଭରସା ନକରି ଷ୍ଟାଟଅପ କରି ନିଜେ ଆତ୍ମ ନିର୍ଭରଶୀଳ ହେବାକୁ ଉଦ୍ୟମ କରନ୍ତୁ। ନିଜସ୍ୱ ଉଦ୍ୟମରେ ସଠିକ ଜ୍ଞାନ କୌଶଳ ପ୍ରୟୋଗ କରି ଜିଲ୍ଲାର ଯୁବପିଢ଼ି ଅନ୍ୟକୁ ରାସ୍ତା ଦେଖାନ୍ତୁ। କେବଳ କଳା, ସଂସ୍କୃତି ଓ ପରମ୍ପରାରେ ନୁହେଁ ବରଂ ସ୍ୱାବଲମ୍ବୀ ହୋଇ ବିଶ୍ୱରେ ନୂତନ ପରିଚୟ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ। ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।
ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବୈତୁରା ଦୀପ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଧନ୍ୟବାଦ ଦେଇଥିଲେ। ସତ୍ୟ ନାରାୟଣ ମୁଣ୍ଡଛିନା ସଭା ପରିଚାଳନା କରିଥିଲେ। ଶ୍ରୀ ଜଗନ୍ନାଥ ସଙ୍ଗୀତ ବିଦ୍ୟାଳୟ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଏହାପରେ ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୃଣ୍ମୟୀ ଅନୁଷ୍ଠାନ, ଲଗନ୍ ସାଂସ୍କୃତିକ ଅନୁଷ୍ଠାନ, ନଟରାଜ କଳା ପରିଷଦ, ଶ୍ରୀ ଅରବିନ୍ଦ କଳାକେନ୍ଦ୍ର, ନୃତ୍ୟପ୍ରଭା ଅନୁଷ୍ଠାନର ବଜାଶାଲ ନୃତ୍ୟ, ଲାଞ୍ଜିଗଡ଼ର ଢାପ ନୃତ୍ୟ, ସଂସ୍କୃତି ଅନୁଷ୍ଠାନର ଘୁଡ଼କା ନୃତ୍ୟ ପ୍ରଦର୍ଶିତ ହୋଇଥିଲା।
ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଓଡିଶୀ, ନୃତ୍ୟାଙ୍ଗନା, ଆସାମର ବିହୁ, ମୟୁରଭଞ୍ଜର ଛଉ, ଗୁଜରାଟର ସିଦ୍ଧି ଧମାଲ, ଅଭିନୟ ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେହିପରି ପାରବା ମୁକ୍ତମଞ୍ଚରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୪୦ଗୋଟି ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସହିଦ ରେଣ୍ଡୋ ମାଝୀ ମଞ୍ଚରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମନୋଜ ଶର୍ମା, ମାନସ ପଣ୍ଡା, ନିହାରୀକା ନାୟକ ଓ ପାରବା ମୁକ୍ତମଞ୍ଚରେ ଦୀପ୍ତି ସିଂ, ପ୍ରଶାନ୍ତ ଦାଶ, ଆଶୁତୋଷ ପାତ୍ର, ଲିପ୍ସା ମହାରଣା, ଆର୍ୟା ନାଏକ, ସତ୍ୟବତୀ, ସସ୍ମିତା ସିଂ, ସାବିତ୍ରୀ ମହାରଣା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଅନ୍ତରା ଚକ୍ରବର୍ତୀ ଓ ଆଶିଷ କୁମ୍ଭାରଙ୍କ ଦ୍ୱାରା ପରିବେଷିତ ଷ୍ଟାର ନାଇଟ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User