ଥୁଆମୂଳ ରାମପୁରରେ ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ଗର୍ଭବତୀ, ଖରାପ ରାସ୍ତା ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ

Aug 02, 2026 - 21:08
0 12
ଥୁଆମୂଳ ରାମପୁରରେ ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ଗର୍ଭବତୀ, ଖରାପ ରାସ୍ତା ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୦୨/୦୮ (ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି ଆଜି ବି ଦୁର୍ଗମ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗୋପୀନାଥପୁର ଗ୍ରାମପଞ୍ଚାୟତ ପେର୍ଗୁନିପଡ଼ା ଗ୍ରାମର ଆଦିବାସୀ ପଡ଼ାର ଲଳିତ ମାଝୀଙ୍କ ସ୍ତ୍ରୀ ଅମିତା ମାଝୀଙ୍କୁ ରବିବାର ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଓ ୧୦୨ ଜନନୀ ଏକ୍ସପ୍ରେସକୁ ଯୋଗାଯୋଗ କରିଥିଲେ ହେଲେ ଗାଡ଼ି ମିଳିନଥିଲା। ବାଧ୍ୟହୋଇ ପରିବାର ଲୋକେ ଉତ୍କଳ ଆଲୁମିନା କମ୍ପାନୀର ସିଏସଆର ଆମ୍ବୁଲାନ୍ସକୁ ଡାକିଥିଲେ।ଆଦିବାସୀ ପଡ଼ାକୁ ଯାଇଥିବା ପ୍ରାୟ ୧ କିଲୋମିଟରରୁ ଊର୍ଦ୍ଧ୍ୱ ଘାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା। ରାସ୍ତାରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଗିଟି-ମେଟାଲ ପଡ଼ିରହିଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଆମ୍ବୁଲାନ୍ସଟି ହରିଜନ ପଡ଼ା ନିକଟରେ ଦୀର୍ଘ ଏକ ଘଣ୍ଟା ଅଟକି ରହିଥିଲା। ପରିବାର ଲୋକେ ବାଧ୍ୟହୋଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆଦିବାସୀ ପଡ଼ାରୁ ହରିଜନ ପଡ଼ା ପର୍ଯ୍ୟନ୍ତ ୧ କିଲୋମିଟର ଆଣିବା ପରେ, ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ଏନେଇ ଆଶା କର୍ମୀ ସତ୍ୟବତୀ ନାଏକ, ଗର୍ଭବତୀଙ୍କ ସ୍ୱାମୀ ଲଳିତ ମାଝୀ, ସ୍ଥାନୀୟ ଗ୍ରାମବାସୀ ଜଗଦୀଶ ନାଏକ ଓ ଆମ୍ବୁଲାନ୍ସ ଚାଳକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଅଞ୍ଚଳରେ ଯୋଗାଯୋଗ ସମସ୍ୟା ଦୀର୍ଘ ଦିନର। ବାଫ୍ଲାମାଳିରେ ଖଣି ଖନନ କରୁଥିବା ଉତ୍କଳ ଆଲୁମିନା କମ୍ପାନୀ କିମ୍ବା ସ୍ଥାନୀୟ ପ୍ରଶାସନ କେହି ବି ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଡିଏମ୍ଏଫ୍ ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ରାସ୍ତା କାମ ଚାଲିଥିଲେ ବି ଘାଟି କାଟାଯାଇ ନାହିଁ, ଯାହାଫଳରେ ବଡ଼ ଗାଡ଼ି ଯିବା ଆସିବା କରିପାରୁନାହିଁ। ଆଜି ବି ଖଣି ପ୍ରଭାବିତ ଅନେକ ଗାଁକୁ ପକ୍କା ରାସ୍ତା ନାହିଁ। ମାତ୍ର ୧ କିଲୋମିଟର ପାଇଁ ଯଦି ଖଟିଆରେ ରୋଗୀ ବୋହିବାକୁ ପଡ଼ୁଛି, ତେବେ ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର କ’ଣ ହୋଇଥିବ ବୋଲି ଲୋକଙ୍କ ଦାବି କରୁଛନ୍ତି l  ଗତ କିଛି ଦିନ ତଳେ ଥୁଆମୂଳ ରାମପୁର ସଦର ପଞ୍ଚାୟତର ଘୁଟିଗୁଡ଼ା ଗ୍ରାମରେ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଜଣେ ମହିଳା ଘରେ ପ୍ରସବ କରିଥିଲେ। ପୁଣିଥରେ ସେହି ଅଭାବନୀୟ ଚିତ୍ର ସାମ୍ନାକୁ ଆସିବା ପରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ ପାରିବାପଣିଆ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ତୁରନ୍ତ ସୁଗମ ରାସ୍ତାଘାଟ ନିର୍ମାଣ କରିବାକୁ ଦାବି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User