ଦିଆଲି ପର୍ବରେ ବାର୍ଷିକ ପାଉଣା ମାଗିବାରେ ବ୍ୟସ୍ତ ନରିଆ ଓ ମହୁରୀଆ ।

Jan 2, 2026 - 11:41
 0  169
ଦିଆଲି ପର୍ବରେ ବାର୍ଷିକ ପାଉଣା ମାଗିବାରେ ବ୍ୟସ୍ତ ନରିଆ ଓ ମହୁରୀଆ ।

ଝରିଗାଁ,୨l୧(ଷ୍ଟାର ନିୟୁଜ ଓଡିଶା ): ଉଦିଲା ପୂଷ ଜନ୍ହ,ଚାଲିଲା ଆଞ୍ଚଳିକ ଆଦିବାସୀଙ୍କ ପାରମ୍ପାରିକ ପୁଷ୍ ପୂନେଇର ଦିଆଲୀ ପରବ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି ପୁଷ ପୁନେଇ ଦିଆଲୀର ମାହୋଲ୍। ବର୍ଷ ତମାମ କୃଷି କାର୍ଯ୍ୟରେ ବ୍ୟସ୍ତ କୃଷକ ତାର ଉତ୍ପାଦିତ ଶସ୍ୟ ଅମଳ ପରେ ପୁରୁଣା ବର୍ଷକୁ ବିଦାୟ ଦେଉ ଦେଇ ନୂଆ ବର୍ଷର ପ୍ରଥାର୍ଦ୍ଧରେ ଶେଷ କରିଥାଏ ଏହି ନିଆରା ଦିଆଳୀ ପର୍ବକୁ। ପୁରପଲ୍ଲୀରେ ଚାଲେ ଘରସଫା,ଚୂନମରା ସହ ଗୋବର ଲିପା ଭଳି ବିଭିନ୍ନ ଘର ପରିଚ୍ଛନ୍ନତା କାର୍ଯ୍ୟ। ବିଭିନ୍ନ ଗ୍ରାମରେ ଗ୍ରାମବାସୀଙ୍କ ସ୍ଥିରିକରଣ ପ୍ରକାରେ ଭିନ୍ନ ଭିନ୍ନ ଦିନ ପାଳନ କରାଯାଏ ଦିଆଳି ପର୍ବ। ଏଥିପାଇଁ ଦୂର ଓ ନିକଟରେ ଥିବା ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ , ପରିବାର ସମ୍ପର୍କୀୟ ନିମନ୍ତ୍ରିତ ହୋଇଥାନ୍ତି ଦିଆଳୀ ପର୍ବକୁ। ନୂଆଁ ବସ୍ତ୍ର , ପିଠାପଣା ଓ ବିଭିନ୍ନ ବ୍ୟଞ୍ଜନ ସାଙ୍ଗକୁ ଗାଈଗୋରୁଙ୍କ ପାଇଁ ଦିଆଲି ଖେଚୁଡ଼ି ପ୍ରସ୍ତୁତ ହୋଇଥାଏ। ନୂଆଁ କୁଲା ଚାଙ୍ଗୁଡ଼ିରେ ଖେଚୁଡ଼ି ପରସା ହୁଏ ଗାଈଗୋରୁଙ୍କୁ । ଗ୍ରାମ ଦେବୀ ଓ ଇଷ୍ଟଦେବଙ୍କ ପୂଜାର୍ଚ୍ଚନା ପରେ ଆଦିବାସୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପୁଷ ପୁନେଇ ରେ ଜମି ଉଠେ ଆନନ୍ଦ ଉଲ୍ଲାସର ମାହୋଲ। ଏହି ଦିଆଳି ଅବସର ହୋଇଥାଏ ଗାଁ ଗୌଡ଼ ଓ ମହୁରୀଆ ମାନଙ୍କ ପାଇଁ ମୁଖ୍ୟ ପରବ ।ଗୌଡ଼ ଗ୍ରାମବାସୀଙ୍କ ଗୃହପାଳିତ ପଶୁଙ୍କ ବର୍ଷ ସାରା ଚାରା ଚରିବାକୁ ଗୌଡିଆ ନିଜ ଦାୟୀତ୍ୱରେ ନେଇ ଘରକୁ ଆଣି ଦେଇଥିବା ବେଳେ ମହୁରୀଆ ମଧ୍ୟ ବର୍ଷ ଗ୍ରାମ ତଥା ଆଖପାଖ ଗ୍ରାମର ଦେବାଦେବୀଙ୍କ ବିଭିନ୍ନ ଯାନିଯାତରାରେ ନିୟୋଜିତ ରହି କାର୍ଯ୍ୟ ତୁଲେଇଥାଏ | ଏହିକାମ ପାଇଁ ଗୌଡ଼ିଆ ଓ ମହୁରୀଆ ମାନେ ଦିଆଲୀ ପର୍ବରେ ଘର ଘର ବୁଲି ନିଜ ପାଉଣା ମାଗିଥାନ୍ତି। ଗୃହପାଳିତ ପଶୁଙ୍କ ମାଲିକ (ନରିଆର) ଗୌଡିଆକୁ ତାର ପ୍ରାପ୍ୟ ପାଉଣା ଦେଇଥାନ୍ତି। ବିଶେଷ କରି ଧାନ ଟଙ୍କା ପିଠାପଣା ନୂଆ ବସ୍ତ୍ର ଆଦି ଗୋଉଡ଼ିଆକୁ ଦିଆଯାଇଥାଏ। ଗାଈଗୋରୁ ଛେଳି ମେଣ୍ଢା ସଂଖ୍ୟାନୁସାରେ ପାଉଣା ସ୍ଥିର କରାଯାଇଥାଏ।। ଗୌଡ଼ ବୃତ୍ତିକୁ ଜୀବନଜୀବିକା କରି ଆସୁଥିବା ଗୌଡ଼ ପରିବାର ପ୍ରତି ପ୍ରାଧାନ୍ୟ ରହିଛି ଦିଆଲି ପର୍ବ। ବର୍ଷ ତମାମ ଖରା ବର୍ଷା ଶୀତ ରେ ମାଇଲ ମାଇଲ ବାଟ ଚାଲି ନେବାକୁ ପଡ଼ିଥାଏ ଗୃହପାଳିତ ପଶୁ ପଲଙ୍କୁ। ପୁଣି ଘରକୁ ଆଣିବାକୁ ପଡେ। କଠିନ ପରିଶ୍ରମ ସହ ସେମାନଙ୍କ ସୁରକ୍ଷା ଗୌଡ଼ ଉପରେ ନିର୍ଭର କରିଥାଏ।ଠିକ ସେହିପରି ମହୁରୀଆମାନଙ୍କୁ ମଧ୍ୟ ବର୍ଷକର ପାଉଣା ଭାବେ ଧାନ, ଚାଉଳ ଓ ଟଙ୍କା ଦେଇଥାନ୍ତି ଲୋକେ |ମହୁରୀଆମାନେ ସାଙ୍ଗରେ ବାଜା ମହୁରୀ ଧରି ଘର ଘର ବୁଲିଥାନ୍ତି ଓ ପାଉଣା ଆଦାୟ କରିଥାନ୍ତି ଓ ଗୌଡିଆମାନେ ମଧ୍ୟ ଗୁଡ଼ ଚୁଡା ପିଠା ଆଦି ଧରି ବୁଲି ବୁଲି ନିଜ ନିଜ ପାଉଣା ଆଦାୟ କରିଥାନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR