୧ ଟଙ୍କାରେ ସିମ୍, କଳାହାଣ୍ଡି-ନୂଆପଡ଼ାରେ ଆସୁଛି ୩୭ ନୂଆ ବିଏସଏନଏଲ୍ ଟାୱାର
ଭବାନୀପାଟଣା, ୧୬/୮ (ଷ୍ଟାରନିୟୁଜ ଓଡ଼ିଶା):ଡିଜିଟାଲ୍ ସଂଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଏସଏନଏଲ୍ ପକ୍ଷରୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଏହି ଦୁଇ ଜିଲ୍ଲାରେ ଆଗାମୀ ଦିନରେ ମୋଟ ୩୭ଟି ନୂଆ ଟାୱାର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଚାଲିଥିବା ବିଏସଏନଏଲ୍ ଡିଜିଏମ୍ ପୁରୁଷୋତ୍ତମ ମାଝୀ ସୂଚନା ଦେଇଛନ୍ତି।
୮୦ତମ ସ୍ୱାଧୀନତା ଦିବସ ଅବସରରେ ଭବାନୀପାଟଣାସ୍ଥିତ ବିଏସଏନଏଲ୍ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଥିଲେ, ‘ଆତ୍ମନିର୍ଭର ଭାରତ’ ଓ ‘ଡିଜିଟାଲ୍ ଇଣ୍ଡିଆ’ର ଲକ୍ଷ୍ୟକୁ ଆଗରେ ରଖି ବିଏସଏନଏଲ୍ ସ୍ୱଦେଶୀ ପ୍ରଯୁକ୍ତି ଓ ଗ୍ରାହକକେନ୍ଦ୍ରିକ ସେବା ମାଧ୍ୟମରେ ଦେଶରେ ଏକ ସୁଦୃଢ଼ ଟେଲିକମ୍ ନେଟୱର୍କ ଗଠନ ଦିଗରେ ଆଗେଇ ଚାଲିଛି।
କଳାହାଣ୍ଡି ଓ ନୂଆପଡ଼ାରେ ପୂର୍ବରୁ ବିଏସଏନଏଲ୍ର ୧୪୦ଟି ଟାୱାର ରହିଛି। ଡିଜିଟାଲ୍ ଭାରତ ନିଧି (ଡିବିଏନ୍) ଯୋଜନାରେ କଳାହାଣ୍ଡିରେ ୧୦୧ଟି ଓ ନୂଆପଡ଼ାରେ ୩୨ଟି ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି। ଏବେ ଡିବିଏନ୍ ଯୋଜନାରେ କଳାହାଣ୍ଡିରେ ଆଉ ୩୧ଟି ଏବଂ ନୂଆପଡ଼ାରେ ୬ଟି ଟାୱାର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ୱାରା ଦୁର୍ଗମ ଓ ନେଟୱର୍କ ସମସ୍ୟା ଥିବା ଅଞ୍ଚଳର ଉପଭୋକ୍ତାମାନେ ଅଧିକ ଲାଭବାନ ହେବେ।
୧ ଟଙ୍କାରେ ସିମ୍, ୨୪ ଦିନର ଅଫର
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱାଧୀନତା ଦିବସ ଉପଲକ୍ଷେ ବିଏସଏନଏଲ୍ ପକ୍ଷରୁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ମାତ୍ର ୧ ଟଙ୍କାରେ ସିମ୍ ମିଳିବା ସହ ଏହି ପ୍ଲାନ୍ରେ ୨୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ ଜିବି ଡାଟା, ୧୦୦ଟି ଏସଏମଏସ୍ ଏବଂ ଅନଲିମିଟେଡ୍ ଭଏସ୍ କଲ୍ ସୁବିଧା ରହିଛି।
ସେହିପରି ଫାଇବର ଗ୍ରାହକଙ୍କ ପାଇଁ ମାସିକ ୧,୧୧୧ ଟଙ୍କାର ପ୍ଲାନ୍ରେ ୨୦୦ ଏମ୍ବିପିଏସ୍ ଇଣ୍ଟରନେଟ୍ ସ୍ପିଡ୍ ସହ ୫,୦୦୦ ଜିବି ଡାଟା ଭଳି ସୁବିଧା ରହିଛି। ଏହି ବିଶେଷ ଅଫର ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି।
ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ କରିବା, ଡିଜିଟାଲ୍ ସେବାର ସମ୍ପ୍ରସାରଣ କରିବା ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଆଧୁନିକ ଦୂରସଞ୍ଚାର ସୁବିଧା ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଏସଏନଏଲ୍ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବିଏସଏନଏଲ୍ ଏଜିଏମ୍ ବିପିନ ବିହାରୀ ପଟ୍ଟନାୟକ, ଏସ୍ଡିଇ କେ.ବି. ନାୟକ, ଜେଟିଓ ହିମାଂଶୁ କୁମାର ବେହେରା, ଅମ୍ରେଶ ପଣ୍ଡା ଓ ଜେଏଓ ପ୍ରମୋଦ କୁମାର କାଲୁ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)