କେସିଙ୍ଗାର ଯୋଗମାୟା ପୀଠରେ ସ୍ପେନୀୟ ଗବେଷକ, ୧୮ ବର୍ଷ ପରେ ପୁଣି ଫେରିଲେ

Aug 14, 2026 - 20:38
0 59
କେସିଙ୍ଗାର ଯୋଗମାୟା ପୀଠରେ ସ୍ପେନୀୟ ଗବେଷକ, ୧୮ ବର୍ଷ ପରେ ପୁଣି ଫେରିଲେ

କେସିଙ୍ଗା, ୧୪/୦୮ (ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡିର ଅନ୍ୟତମ ପ୍ରମୁଖ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠ ପୁଣିଥରେ ଆକର୍ଷିତ କରିଛି ବିଦେଶୀ ପର୍ଯ୍ୟଟକଙ୍କୁ। ସ୍ପେନର ବାର୍ସିଲୋନା ସହରରୁ ଆସିଥିବା ଜଣେ ଗବେଷକ ୧୮ ବର୍ଷ ପରେ ପୁନର୍ବାର ଏହି ପୀଠରେ ପହଞ୍ଚି ମା’ ଯୋଗମାୟାଙ୍କ ଆଶୀର୍ବାଦ ନେବା ସହ ‘ଦେବଗୁମ୍ଫା’ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୧୮ ବର୍ଷ ପୂର୍ବେ, ୨୦୦୮ ମସିହାରେ ଗବେଷଣା କାର୍ଯ୍ୟ ନେଇ ଭାରତ ଆସିଥିବା ସମୟରେ ସେ ପ୍ରଥମଥର ଗୁର୍ଜିମୁଣ୍ଡାର ଯୋଗମାୟା ପୀଠକୁ ଆସିଥିଲେ। ସେତେବେଳେ ପୀଠର ଶାନ୍ତ ପରିବେଶ, ପାହାଡ଼, ପ୍ରାକୃତିକ ଗୁମ୍ଫା ଓ ନିରୋଳା ପରିବେଶ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା।
ଦୀର୍ଘ ବ୍ୟବଧାନ ପରେ ପୁଣି ଭାରତ ଆସିବାର ସୁଯୋଗ ମିଳିବା ପରେ ସେ ଗୁର୍ଜିମୁଣ୍ଡାର ଏହି ପବିତ୍ର ସ୍ଥାନକୁ ଫେରିଆସିଥିଲେ। ଯୋଗମାୟା ପୀଠର ଆଧ୍ୟାତ୍ମିକ ପରିବେଶ ସହ ଦେବଗୁମ୍ଫାର ମନୋରମ ପ୍ରାକୃତିକ ପରିବେଶ ତାଙ୍କୁ ପୁଣିଥରେ ଆକର୍ଷିତ କରିଥିବା ସେ ପ୍ରକାଶ କରିଛନ୍ତି।
ଗୁର୍ଜିମୁଣ୍ଡାର ଏହି ପ୍ରାକୃତିକ ଓ ଐତିହ୍ୟ ସମ୍ପନ୍ନ କ୍ଷେତ୍ରକୁ ପୂର୍ବରୁ ମଧ୍ୟ ବହୁ ବିଦେଶୀ ପର୍ଯ୍ୟଟକ ଓ ଗବେଷକଙ୍କ ଆଗମନ ହୋଇଥିବା ଜଣାପଡ଼ିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ନୂଆ ପରିଚୟ ଦେବା ସହ କଳାହାଣ୍ଡିର ଅପରିଚିତ ପ୍ରାକୃତିକ ଓ ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକୁ ଦେଶ-ବିଦେଶରେ ପରିଚିତ କରାଇବାର ଆଶା ସୃଷ୍ଟି କରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User