ଧୂମଧାମରେ ନୁଆଁଖାଇ ପର୍ବ ପାଳିତ ।

Aug 29, 2025 - 20:41
Updated: 12 months ago
0 18
ଧୂମଧାମରେ ନୁଆଁଖାଇ ପର୍ବ ପାଳିତ ।

ଝରିଗାଁ,୨୯l୮ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଆଜି ବେଶ ଧୁମଧାମରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି |ନୁଆଁଖାଇ ପର୍ବ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ ତଥା କୃଷି ଭିତିକ ପର୍ବ |ପଶ୍ଚିମ ଓଡ଼ିଶାର ଚାଷୀକୂଳ ବର୍ଷ ତମାମ ବିଭିନ୍ନ କୃଷି ଭିତିକ ପର୍ବ ସବୁ ପାଳନ କରିଥାନ୍ତି |ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନଙ୍କରେ ପାଳିତ ହେଉଥିବା କୃଷି ଭିତିକ ପର୍ବ ପର୍ବାଣୀ ମାନଙ୍କ ମଧ୍ୟରେ ଉଁଆସ ପର୍ବ, ଦିଆଳୀ ପର୍ବ, ବହଲାନି ଯାତ୍ରା, ବିହନ ଛୀନା ପର୍ବ ଆଦି ପ୍ରମୁଖ ପର୍ବ ପର୍ବାଣୀ ହୋଇଥିବା ବେଳେ ନୁଆଁଖାଇ ପର୍ବକୁ ତନ୍ମଧ୍ୟରେ ଶ୍ରେଷ୍ଠ ପର୍ବ ଭାବେ ପରିଗଣିତ କରାଯାଏ |ବିଲରେ ଧାନ ପାଚିଲା ପରେ ଚାଷୀକୂଳ ଏହି ପର୍ବକୁ ବେଶ ହର୍ଷ ଉଲ୍ଲାସର ସହ ପାଳନ କରିଥାନ୍ତି |ନୁଆଁଧାନରେ ପ୍ରସ୍ତୁତ ଚୁଡା ଓ ଭୋଗ ଘରର ଇଷ୍ଟ ଦେବାଦେବୀ ତଥା ଗ୍ରାମ ଦେବତା ପାଖରେ ଭୋଗ ତର୍ପଣ କରି ସାରିବା ପରେ ସପରିବାର ଏକତ୍ରିତ ହୋଇ ନୁଆଁ ଖାଇଥାନ୍ତି |ନୁଆଁଖିଆକୁ ନେଇ ମଧ୍ୟ ଏକ ବିଧାନ ରହିଛି |ତେଣୁ ନୁଆଁ ହାଣ୍ଡିରେ ନୁଆଁ ପ୍ରସ୍ତୁତ କରି ସମସ୍ତେ କୁରେଇ ପତ୍ରରେ ନୁଆଁ ଖାଇଥାନ୍ତି |ନୁଆଁଖାଇର କିଛି ଦିନ ଆଗରୁ ଘରଦ୍ୱାର ସଫା ସୁତୁରା କରିବା ସହ ପରିବାର ସଦସ୍ୟ ମାନଙ୍କ ପାଇଁ ନୁଆଁ ବସ୍ତ୍ର ସବୁ କିଣାହୁଏ |ଏହି ଦିନ ସମସ୍ତେ ନୁଆଁ ନୁଆଁ ପୋଷାକ ପିନ୍ଧିଥାନ୍ତି |ଘରର ମୁରବୀ ଘରର ଦେବଦେବୀ ମାନଙ୍କ ପୂଜାର୍ଚନା କରି ସେମାନଙ୍କୁ ନବାନ୍ନ ତର୍ପଣ କରିଥାନ୍ତି ପରେ ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ବସିବା ପରେ ଘରର ମୁଖିଆ ସେମାନଙ୍କୁ କୁରେଇ ପତ୍ରରେ ନୁଆଁ ବଣ୍ଟନ କରିଥାନ୍ତି |ନୁଆଁଖିଆ ସାରି ସମସ୍ତେ ନିଜ ପରିବାରର ବୟଜୈଷ୍ଠ ମାନଙ୍କୁ ନୁଆଁଖାଇ ଜୁହାର କରିଥାନ୍ତି |ପରେ ଗ୍ରାମ ଓ ଆଖପାଖ ଗ୍ରାମବୁଲି ସମସ୍ତଙ୍କୁ ନୁଆଁଖାଇ ଜୁହାର ଜଣେଇଥାନ୍ତି |ଏହି ଦିନ ବିଶେଷ କରି ଗ୍ରାମାଞ୍ଚଳ ବେଶ ଚଳଚଞ୍ଚଳ ରହିଥାଏ |ଗ୍ରାମର ଯୁବକ ଯୁବତୀ ଓ ବାଳକ ବାଳିକା ମାନେ ଦଳ ଦଳ ହୋଇ ସାହି ସାହି ବୁଲି ନୁଆଁଖାଇ ଜୁହାର କରୁଥିବା ଦୃଶ୍ୟ ବେଶ ମନୋରମ ହୋଇଥାଏ |ଘରେ ଘରେ ମାଛ ମାଂସ ସାଙ୍ଗକୁ ପିଠାପଣାର ଆସର ଜମେ |ଏହି ନୁଆଁଖାଇ ପର୍ବ ଯଦିତ ଏକ କୃଷି ଭିତିକ ପର୍ବ ଅଟେ, ତଥାପି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଭାତୃଭାବ ଓ ଅତ୍ମୀୟତାକୁ ବଞ୍ଚାଇ ରଖିବାରେ ବେଶ ସହାୟକ ହୋଇଛି |ହିନ୍ଦୁଧର୍ମରେ ଏମିତି ଅନେକ ପର୍ବପର୍ବାଣୀ ରହିଛି ଯାହାକି ଜନସାଧାରଣଙ୍କ ମଧ୍ୟରେ ଭାତୃଭାବ ଓ ଅତ୍ମୀୟତା ସୃଷ୍ଟି କରି ସମସ୍ତଙ୍କୁ ଏକତାର ସୂତ୍ର ରେ ବାନ୍ଧି ରଖିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User