ପାଣି ଘେରରେ ତେରେସିଂହା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବିପଦରେ ୧୧୬ ଛାତ୍ରଛାତ୍ରୀ; ଦୂଷିତ ପାଣି ଓ ମଶାମାଛିରେ ଅସ୍ୱାସ୍ଥ୍ୟକର ପରିବେଶ

Aug 09, 2026 - 08:49
0 7
ପାଣି ଘେରରେ ତେରେସିଂହା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବିପଦରେ ୧୧୬ ଛାତ୍ରଛାତ୍ରୀ; ଦୂଷିତ ପାଣି ଓ ମଶାମାଛିରେ ଅସ୍ୱାସ୍ଥ୍ୟକର ପରିବେଶ

କର୍ଲାମୁଣ୍ଡା, ୯/୮ (ଷ୍ଟାରନ୍ୟୁଜ ଓଡ଼ିଶା): ସାମାନ୍ୟ ବର୍ଷା ହେଲେ ହିଁ ପାଣି ଘେରରେ ରହୁଛି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର। ଦିନ ଦିନ ଧରି ଜମି ରହୁଛି ଦୂଷିତ ପାଣି। ଫଳରେ ଦୁର୍ଗନ୍ଧ ସାଙ୍ଗକୁ ବଢ଼ୁଛି ମଶାମାଛିଙ୍କ ପ୍ରାଦୁର୍ଭାବ। ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢ଼ୁଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ୧୧୬ ଜଣ ଛାତ୍ରଛାତ୍ରୀ। ବର୍ଷ ବର୍ଷ ଧରି ସମସ୍ୟା ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ବର୍ଷା ହେଲେ ସ୍କୁଲ ପରିସର ଓ ସମ୍ମୁଖ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ଡ୍ରେନର ଅଳିଆ ଆବର୍ଜନା ସହ ଦୂଷିତ ପାଣି, ପୋଖରୀ ଓ ନିକଟସ୍ଥ ଚାଷଜମିର ପାଣି ଆସି ସ୍କୁଲ ସମ୍ମୁଖରେ ଜମି ରହୁଥିବା ଅଭିଯୋଗ ହୋଇଛି।
ଦୀର୍ଘଦିନ ଧରି ପାଣି ଜମି ରହିବାରୁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଏହା ଫଳରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସ୍କୁଲ ପରିସରରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି। ଦୂଷିତ ପାଣି ଭିତରେ ଯିବାଆସିବା ସମୟରେ ଛୋଟ ଛୋଟ ଶିଶୁ ଗୋଡ଼ ଖସି ପଡ଼ୁଥିବା ଅଭିଯୋଗ ମଧ୍ୟ ରହିଛି। ଏହା ଯୋଗୁଁ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି ଶିଶୁ ଏବଂ ଗର୍ଭବତୀ ମହିଳାମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି।
ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସେଠଙ୍କ କହିବା ଅନୁଯାୟୀ, ଗତ ବର୍ଷଠାରୁ ଏହି ସମସ୍ୟା ସମ୍ପର୍କରେ ଗ୍ରାମ ଉନ୍ନୟନ ସମିତି, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା ଓ ବିଡିଓଙ୍କୁ ଅବଗତ କରାଯାଇଛି। ହେଲେ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ।
ଖବର ପାଇ ସରପଞ୍ଚ ପ୍ରମୋଦ ସୁନା, ସିଆରସିସି ହେମନ୍ତ ନାଏକ, ସ୍କୁଲ ପରିଚାଳନା କମିଟି ସଭାପତି ବିଶମ୍ବର ଭୋଇଙ୍କ ସମେତ କମିଟି ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥାୟୀ ସମାଧାନ ପାଇଁ ଗ୍ରାମ ଉନ୍ନୟନ କମିଟି ଓ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।
ଅନ୍ୟପଟେ ସରପଞ୍ଚ ପ୍ରମୋଦ ସୁନା କହିଛନ୍ତି ଯେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଏଥିସହ ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ତେବେ ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ସମସ୍ୟା ଦେଖାଦେଉଥିବାରୁ ଅସ୍ଥାୟୀ ପଦକ୍ଷେପ ବଦଳରେ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜଳମୁକ୍ତ କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User