ଭବାନୀପାଟଣାରେ ମୋଡିଫାଏଡ୍ ସାଇଲେନ୍ସର ବାଇକ୍ ଉପରେ କଡ଼ା ଆକ୍ସନ୍, କେସିଙ୍ଗାରେ କେବେ ଆରମ୍ଭ ହେବ ଅଭିଯାନ?
କେସିଙ୍ଗା:ତା.୧୮l୬ (ଷ୍ଟାର ନିୟୁଜ ଓଡିଶା )ରାସ୍ତାରେ ଅତ୍ୟଧିକ ଶବ୍ଦ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ବାଇକ୍ ଚାଳକଙ୍କ ବିରୋଧରେ ଭବାନୀପାଟଣାରେ ପୁଲିସ ଓ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଛି। ବାଇକ୍ର ମୂଳ ସାଇଲେନ୍ସରକୁ ପରିବର୍ତ୍ତନ କରି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଚାଳକଙ୍କ ଠାରୁ ଭାରି ଜରିମାନା ଆଦାୟ କରାଯାଉଥିବାରୁ ଅନେକ ବାଇକ୍ ମାଲିକ ଏବେ ସତର୍କ ହୋଇପଡ଼ିଛନ୍ତି।
ମୋଡିଫାଏଡ୍ ସାଇଲେନ୍ସରରୁ ନିର୍ଗତ ଅତ୍ୟଧିକ ଶବ୍ଦ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ରାତି ସମୟରେ ଏପରି ବାଇକ୍ର ଶବ୍ଦ ଶାନ୍ତି ଭଙ୍ଗ କରିବା ସହ ଦୁର୍ଘଟଣାର କାରଣ ମଧ୍ୟ ହେଉଛି। ମୋଟର ଯାନ ଆଇନ ଅନୁଯାୟୀ ଗାଡ଼ିର ମୂଳ ଗଠନରେ ଅନୁମତି ବିନା ପରିବର୍ତ୍ତନ କରିବା ବେଆଇନ ହୋଇଥିବା ବେଳେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ବିରୋଧରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରହିଛି
ସମ୍ପ୍ରତି ଓଡ଼ିଶାର ଭଦ୍ରକ, ବରଗଡ଼, କୋରାପୁଟ ଓ ଭୁବନେଶ୍ୱର ଭଳି ସହରଗୁଡ଼ିକରେ ଶତାଧିକ ମୋଡିଫାଏଡ୍ ସାଇଲେନ୍ସର ଜବତ କରାଯିବା ସହ ହଜାର ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କେତେକ ସ୍ଥାନରେ ଜବତ ସାଇଲେନ୍ସରଗୁଡ଼ିକୁ ଧ୍ୱଂସ ମଧ୍ୟ କରାଯାଏ
ଏଭଳି ପରିସ୍ଥିତିରେ କେସିଙ୍ଗା ସହରରେ ମଧ୍ୟ ମୋଡିଫାଏଡ୍ ସାଇଲେନ୍ସର ବାଇକ୍ର ଉତ୍ପାତ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟରେ କେତେକ ଯୁବକ ଜୋର ଶବ୍ଦ କରି ବାଇକ୍ ଚଳାଉଥିବାରୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଭବାନୀପାଟଣା ଭଳି କେସିଙ୍ଗାରେ ମଧ୍ୟ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ସହରବାସୀ ଦାବି କରୁଛନ୍ତି।
ଏବେ ଦେଖିବାକୁ ବାକି ରହିଲା, କେସିଙ୍ଗାରେ ମୋଡିଫାଏଡ୍ ସାଇଲେନ୍ସର ବାଇକ୍ ବିରୋଧରେ କେବେ କଡ଼ା ଆକ୍ସନ୍ ଆରମ୍ଭ ହେଉଛି। ସହରବାସୀଙ୍କ ଆଶା, ଏପରି ପଦକ୍ଷେପ ନିଆଗଲେ ଶବ୍ଦ ପ୍ରଦୂଷଣ ହ୍ରାସ ପାଇବା ସହ ସଡ଼କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ।
କେସିଙ୍ଗାରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?